ଟ୍ରେନ ପୋଡି ଘଟଣା ପରେ ଛାତ୍ରମାନଙ୍କୁ ଶାନ୍ତ ରହିବାକୁ ନିବେଦନ କଲେ ରେଳ ମନ୍ତ୍ରୀ

14

ବିହାର ରେଳବାଇ (ଏନଟିପିସି) ନିଯୁକ୍ତିରେ ଦ୍ୱିସ୍ତରୀୟ ପରୀକ୍ଷାକୁ ବିରୋଧ କରି ନିଯୁକ୍ତି ଆଶାୟୀମାନେ ମଙ୍ଗଳବାର ହିଂସାକାଣ୍ଡ ଘଟାଇଥିଲେ। ତେବେ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନିଯୁକ୍ତି ଆଶାୟୀମାନଙ୍କୁ ହିଂସା ନକରିବାକୁ ଅନୁରୋଧ କରିଛନ୍ତି ଅଶ୍ୱିନୀ। ସେ କହିଛନ୍ତି ଯେ, ମୁଁ ଛାତ୍ରମାନଙ୍କୁ ଅନୁରୋଧ କରୁଛି ଯେ, ରେଳ ହେଉଛି ଆପଣଙ୍କର ସମ୍ପତ୍ତି। ଦୟାକରି ଏହାକୁ ନଷ୍ଠ କରନ୍ତୁ ନାହିଁ। ଆମେ ଆପଣଙ୍କର ସମସ୍ୟାର ସମାଧାନ କରିବୁ। ପରୀକ୍ଷାର ଫଳାଫଳ ସ୍ୱଚ୍ଛ ଏବଂ ନ୍ୟାୟପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି । ବିହାରର ଗୟା ରେଳ ଷ୍ଟେସନରେ ବିକ୍ଷୋଭକାରୀମାନେ ଟ୍ରେନରେ ନିଆଁ ଲଗାଇବାର କିଛି ସମୟ ପରେ ମନ୍ତ୍ରୀଙ୍କ ଏହି ବିବୃତ୍ତି ଆସିଛି। ବିକ୍ଷୋଭକାରୀମାନେ ମଧ୍ୟ ଷ୍ଟେସନକୁ ଭଙ୍ଗାରୁଜା କରିଥିଲେ। ଅଶ୍ୱିନୀ କହିଛନ୍ତି ଯେ, ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି। ଯେଉଁଥିରେ ବିଭିନ୍ନ ରେଳ ନିଯୁକ୍ତି ବୋର୍ଡ ଅଧୀନରେ ହୋଇଥିବା ପରୀକ୍ଷାରେ ଫଳାଫଳ ଯାଞ୍ଚ କରାଯିବ। ମନ୍ତ୍ରୀ କହିଛନ୍ତି, ଆମକୁ ଏପରି ଏକ ସମାଧାନ ଖୋଜିବାକୁ ପଡ଼ିବ, ଯେଉଁମାନଙ୍କୁ ସର୍ଟଲିଷ୍ଟ କରାଯାଇଛି ସେମାନେ ନିରାଶ ହେବେନି। ଯେଉଁମାନଙ୍କର ଅଭିଯୋଗ ଅଛି, ସେମାନଙ୍କର ସମାଧାନ କରାଯିବା ଉଚିତ୍। ସୂଚନା ଅନୁଯାୟୀ, ବିହାରରେ ରେଲ୍‌ୱେ ରିକ୍ର୍ୟୁଟ୍‌ମେଣ୍ଟ୍‌ ବୋର୍ଡ ଆୟୋଜିତ ନନ୍‌ ଟେକ୍ନିକାଲ୍‌ ପପୁଲାର କ୍ୟାଟେଗୋରି ପରୀକ୍ଷାର ଫଳାଫଳକୁ ନେଇ ତିନିଦିନ ଧରି ଆନ୍ଦୋଳନ ଜାରି ରହିଛି ।

Leave A Reply

Your email address will not be published.