ହାତୀ ସୁରକ୍ଷା ପାଇଁ କାର୍ଯ୍ୟକାରୀ ହେଲା ପ୍ରକଳ୍ପ, ଯୋଡ଼ାରେ ଲାଗିଲା ସୌରଚାଳିତ ବିଦ୍ୟୁତ୍‌ବାଡ଼

20

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଧୀନ ଯୋଡ଼ା ବନପାଳ ଅନ୍ତର୍ଗତ ଜୁରୁଡି କ୍ରେଚ୍ ହାଟିଂ ରେଲୱେ କ୍ରସିଂ ନିକଟରେ ହାତୀଙ୍କ ସୁରକ୍ଷା ନିମନ୍ତେ ଝୁଲନ୍ତା ସୌରଚାଳିତ ବାଡ଼ର ବ୍ୟବସ୍ଥା କରାଯାଇଛି । ଏହାକୁ ଶନିବାର ପୂର୍ବାହ୍ନରେ କେନ୍ଦୁଝର ଡିଏଫ୍‌ଓ ଧନରାଜ ଏସ୍‌ଡିଙ୍କ ଉପସ୍ଥିତିରେ ଯୋଡ଼଼ା ବ୍ଲକ୍ ଅଧ୍ୟକ୍ଷ କବିନ୍ଦ୍ର ନାଏକ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ରେଲୱେ କ୍ରସିଂକୁ ଲାଗି ଯୋଡ଼ା, ବାମେବାରୀ ରାଜ୍ୟ ରାଜପଥ ରହିଥିବା ବେଳେ ନିକଟ ଜଙ୍ଗଲରୁ ହାତୀମାନେ ଏହି ରେଳ ଧାରଣା ଅତିକ୍ରମ କରି ରାସ୍ତା ଉପର ଦେଇ ଆରପଟ ଜଙ୍ଗଲକୁ ଚଳପ୍ରଚଳ କରିଥାନ୍ତି । ଫଳରେ ଅନେକ ସମୟରେ ଏହି ଧାରଣା ଦେଇ ଯାତାୟାତ କରୁଥିବା ରେଳ ସହିତ ହାତୀମାନଙ୍କର ଧକ୍କା ହେବା ଫଳରେ ହାତୀମାନଙ୍କ ଜୀବନ ହାନି ହୋଇଥାଏ । ଏହି ସୌରଚାଳିତ ବାଡ଼ ଦ୍ୱାରା ହାତୀମାନଙ୍କ ଜୀବନ ସୁରକ୍ଷିତ ରହିପାରିବ ବୋଲି ବନବିଭାଗ ସୂଚନା ଦେଇଛି । ଏହି ବାଡ଼ ମାଧ୍ୟମରେ ୧୦ ହଜାର ଭୋଲଟେଜ୍‌ର ବିଦ୍ୟୁତ୍ ସ୍ରୋତ ୨୪ ଘଣ୍ଟା ଧରି ପ୍ରବାହିତ ହେବ । ଏହା ସଂସ୍ପର୍ଶରେ ହାତୀ ସମେତ ଅନ୍ୟ ବନ୍ୟଜନ୍ତୁ ଆସିଲେ ସେମାନଙ୍କୁ କେତେ ମିଲି ସେକେଣ୍ଡ ପାଇଁ ଏକ ଝଟକା ଲାଗିବ । ବିଦ୍ୟୁତ୍ ଝଟକା ଲାଗିବା ସହିତ ସ୍ୱୟଂ ଚାଳିତ ସାଇରନ୍ ବାଜି ଉଠିବ । ଏହା ବନବିଭାଗ ଜାଣିପାରିବା ସହିତ ସେମାନଙ୍କୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରିବେ ବୋଲି ଡିଏଫ୍‌ଓ ଧନରାଜ ଏସ୍‌ଡି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ସୌରଚାଳିତ ବାଡ଼ ବ୍ୟବସ୍ଥା କ୍ରେଚ୍ ହାଟିଂ ଠାରୁ ବେହେରା ହାଟିଂ ପର୍ଯ୍ୟନ୍ତ ଲଗାଯାଇଥିବା ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି । ଏହି ବ୍ୟବସ୍ଥାର ଉଦ୍‌ଘାଟନ ସମୟରେ କେନ୍ଦୁଝର ଡିଏଫ୍‌ଓଙ୍କ ସମେତ ଯୋଡ଼ା ପୌରପାଳିକା ଅଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ, ଏସିଏଫ୍ ଅଶୋକ କୁମାର ଦାସ, ଘନଶ୍ୟାମ ମହାନ୍ତ, ଚମ୍ପୁଆ ରେଞ୍ଜ ଅଧିକାରୀ ସଞ୍ଜିବ କୁମାର ରାଉତ, ଯୋଡ଼ା ଫରେଷ୍ଟର ଅନିରୁଦ୍ଧ ପଣ୍ଡା, ଚମ୍ପୁଆ ଫରେଷ୍ଟର ପିଅନ ନାଏକ, ବାମେବାରୀ ଫରେଷ୍ଟର ରତ୍ନାକର ମହାନ୍ତ, ବାଲିବନ୍ଧ ଫରେଷ୍ଟର ବୁଲୁ ନାହାକ, ଯୋଡ଼ା ଫରେଷ୍ଟ ଗାର୍ଡ ମିଲନ ମହାନ୍ତ, ଖଣ୍ଡବନ୍ଧ ଫରେଷ୍ଟ ଗାର୍ଡ ମାଣ୍ଟିନ ମାରାଣ୍ଡି, ମଲଦା ଫରେଷ୍ଟ ଗାର୍ଡ ବିନୋଦ ବିହାରୀ ବେହେରା, ଯୋଡ଼ା ସେକସନ ବନ ସ୍କ୍ୱାର୍ଡ ଉପସ୍ଥିତ ରହିଥିଲେ । ଏହା ସହିତ ଓଡ଼ିଶା ଖଣି ନିଗମର ଆଞ୍ଚଳିକ ପରିଚାଳକ ଅବନିକାନ୍ତ ପ୍ରଧାନ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏଠାରେ ସୂଚନା ଯୋଗ୍ୟ, ଗତ ମେ ମାସ ୧୯ ତାରିଖରେ ବେହେରା ହାଟିଂ ନିକଟରେ ରେଳ ଦୁର୍ଘଟଣାରେ ୩ଟି ହାତୀଙ୍କର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ଠିକ୍ ସେହି ସ୍ଥାନରେ ଆଉ ଏକ ଦୁର୍ଘଟଣା ଘଟି ୨ଟି ହାତୀର ପ୍ରାଣ ଯାଇଥିଲା । ଏହି ରାସ୍ତାଟି ହାତୀ ଚଳପ୍ରଚଳ ସ୍ଥାନ ଭାବେ ଚିହ୍ନଟ କରାଯାଇଥିବାବେଳେ ଦୁର୍ଘଟଣାକୁ ରୋକିବା ପାଇଁ ଏହି ରେଳ ଧାରଣା କଡରେ ଏକ ଟ୍ରେଞ୍ଚ ଖୋଳାଯିବା ସହ ରେଳ ଧାରଣାର ଉଭୟ ପାଶ୍ୱର୍ରେ ସୌରଚାଳିତ ବାଡ଼ ଦିଆଯାଇଛି । ତେବେ ସମ୍ପୃକ୍ତ ରେଳ ଧାରଣା ଉପରେ ରେଳର ବେଗକୁ ୨୦ରୁ ୩୦ କିମି ଭିତରେ ରଖିବାକୁ ରେଳ ବିଭାଗକୁ ବନ ବିଭାଗର ନିର୍ଦ୍ଦେଶ ରହିଛି । ଏହି ସୌରଚାଳିତ ବାଡ଼ ଆମ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରୟୋଗ କରାଯାଉଥିବା କୁହାଯାଉଥିବା ବେଳେ ଏଥିରେ ପ୍ରାୟ ୧୦ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିବା ଜଣାପଡ଼ିଛି ।

Comments are closed, but trackbacks and pingbacks are open.