ଆସନ୍ତାକାଲି ପୁରୀ ଆସିବେ ରାଷ୍ଟ୍ରପତି, ରାଜଭବନରେ ଅବସ୍ଥାନ କରିବେ

21

ଆସନ୍ତା କାଲି ଫେବୃଆରୀ ୧୯ ତାରିଖରେ ପୁରୀ ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ । ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ୨ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ରାଷ୍ଟ୍ରପତିଙ୍କ ରହଣୀ ସ୍ଥଳରେ ହୋଇଛି ସାମାନ୍ୟ ପରିବର୍ତ୍ତନ । ରାଷ୍ଟ୍ରପତି କୌଣସି ଘରୋଇ ପରିବର୍ତ୍ତେ ପୁରୀ ରାଜଭବନରେ ଅବସ୍ଥାନ କରିବେ I ପୂର୍ବରୁ ରାଷ୍ଟ୍ରପତି ଏକ ଘରୋଇ ହୋଟେଲରେ ରହିବେ ବୋଲି ସୂଚନା ଦିଆଯାଇଥିଲା।୧୯ ତାରିଖ ଅପରାହ୍ଣ ୨ଟା ୪୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ଅପରାହ୍ଣ ୩ଟା ୩୫ରେ ପୁରୀରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ ରାଜଭବନ ଯିବେ । ଏହାପରେ ଅପରାହ୍ଣ ୫ଟାରେ ସେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ। ସେ ଶ୍ରୀମନ୍ଦିରରେ ୪୫ ମିନିଟ୍ ରହିବେ। ସେହିଦିନ ରାତିରେ ସେ ପୁରୀରେ ରହିବେ।
ତା’ପର ଦିନ ଅର୍ଥାତ୍ ୨୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ। ସେଠାରେ ସେ ପ୍ରାୟ ୧୫ ମିନିଟ୍ ଧରି ରହିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ରାଷ୍ଟ୍ରପତି ସିଧା ଶରଧାବାଲି ସଭାସ୍ଥଳରେ ପହଞ୍ଚିବେ ଓ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ (ଗୌଡ଼ୀୟ ମଠ ମିଶନର ପ୍ରତିଷ୍ଠାତା)ଙ୍କ ୧୫୦ତମ ଜୟନ୍ତୀ ଅବସରରେ ୩ ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ ଉଦ୍ଘାଟନ କରିବେ। ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟକ୍ରମରେ ରହିବେ। ତା’ପରେ ସେ ଭୁବନେଶ୍ୱର ଯାଇ ଦିଲ୍ଲୀ ଫେରିଯିବେ।
ସୂଚନାଯୋଗ୍ୟ, ତୃତୀୟ ଥର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଯେଉଁ ଯେଉଁ ସ୍ଥାନକୁ ଯିବେ ସେଠାରେ କେମିତି ସୁରକ୍ଷା ବ୍ୟବସ୍ଥା ରହିବ ତାହାର କଡ଼ା ଯାଞ୍ଚ କରୁଛନ୍ତି ଉଚ୍ଚସ୍ତରୀୟ ପୁଲିସ୍ ଅଧିକାରୀ।

Comments are closed, but trackbacks and pingbacks are open.