କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

20

କେନ୍ଦୁଝରର କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୨ ଜଣଙ୍କୁ ପଦ୍ମବିଭୂଷଣ, ୪ ଜଣଙ୍କୁ ପଦ୍ମଭୂଷଣ ଓ ୪୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।

ଶ୍ରୀ କୁଅଁର ସମ୍ମାନ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନମସ୍କାର କରିଥିଲେ। ଚଳିତ ବର୍ଷ ପଦ୍ମଶୀ ସମ୍ମାନ ପାଇଁ ୪ ଜଣ ଓଡ଼ିଆ ମନୋନୀତ ହୋଇଥିବାବେଳେ ୩ ଜଣଙ୍କୁ ଦ୍ବିତୀୟ ପର୍ଯ୍ୟାୟ ବିତରଣ ସମାରୋହରେ ରାଷ୍ଟ୍ରପତି ସମ୍ମାନିତ କରିବେ। ଦ୍ବିତୀୟ ପର୍ଯ୍ୟାୟ ସମାରୋହ ଆସନ୍ତାମାସ ୫ରେ ଅନୁଷ୍ଠିତ ହେବ।

ଗତକାଲିର ଏହି ସମାରୋହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍.ଏମ୍. କ୍ରିଷ୍ଣାଙ୍କୁ ପଦ୍ମ ବିଭୂଷଣ ଏବଂ ବିଶିଷ୍ଟ ଶିଳ୍ପପତି ତଥା ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନ୍‌ଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.