୧୩୯ ଜଣଙ୍କୁ ନେଇ ଯାଉଥିବା ବିମାନ ଇଞ୍ଜିନରେ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କଲା

38

୧୩୯ ଜଣ ଯାତ୍ରୀଙ୍କୁ ନେଇ ପାଟନା ଯାଉଥିବା ଗୋ-ଫାଷ୍ଟ ବିମାନ ହଠାତ୍‌ ନାଗପୁରରେ ଜରୁରୀ ଅବତରଣ କରିଛି। ବିମାନଟି ମଝି ଆକାଶରେ ଥିବା ବେଳେ କକପିଟ୍‌ ଯୋଗେ ଇଞ୍ଜିନରେ ତ୍ରୁଟି ଥିବା ସିଗ୍ନାଲ ମିଳିଥିଲା। ଏହି କାରଣରୁ ପାଇଲଟ ଇଞ୍ଜିନକୁ ବନ୍ଦ କରି ଜରୁରୀ ଅବତରଣ କରାଇଛନ୍ତି। ପାଇଲଟ ବୁଦ୍ଧି ଖଟାଇ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବାରେ ସକ୍ଷମ ହୋଇଥିବାରୁ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଗୋଫାଷ୍ଟ ବିମାନ ଜି୮ ୮୭୩ ବେଙ୍ଗାଲୁରୁରୁ ପାଟନା ଯାଉଥିବା ବେଳେ କକପିଟରେ ଇଞ୍ଜିନ ତ୍ରୁଟି ଜନିତ ସୂଚନା ମିଳିଥିଲା। ଏହି କାରଣରୁ ବିମାନଟିକୁ ନାଗପୁରକୁ ଡାଇଭର୍ଟ କରାଯାଇଥିଲା। ସତର୍କତା ଦୃଷ୍ଟିରୁ କ୍ୟାପ୍ଟେନ ଇଞ୍ଜିନକୁ ଶଟଡାଉନ କରିଥିଲେ।ଏହାପରେ ଏସ୍‌ଓପି ଅନୁଯାୟୀ ବିମାନର କ୍ୟାପ୍ଟେନ ଏହାକୁ ସୁରକ୍ଷିତ ଭାବେ ନାଗପୁର ଏୟାରପୋର୍ଟରେ ଅବତରଣ କରାଇଥିଲେ। ବିମାନଟି ଦିନ ୧୧.୧୫ରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିଲା। ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଓ ସମସ୍ତଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି ବୋଲି କମ୍ପାନୀ କହିଛି।
ଅନ୍ୟପକ୍ଷରେ ନାଗପୁର ଏୟାରପୋର୍ଟ ନିର୍ଦ୍ଦେଶକ ଅବିଦ ରୁହି କହିଛନ୍ତି, “ଆମେ ଖବର ପାଇବା ପରେ ପୂରା ଏୟାରପୋର୍ଟରେ ଜରୁରିକାଳୀନ ସ୍ଥିତି ଘୋଷଣା କରିଥିଲୁ। ରନ ୱେ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀକୁ ମଧ୍ୟ ମହଜୁଦ ରଖିଥିଲୁ। ସୌଭାଗ୍ୟ ବଶତଃ ବିମାନଟି ଯାତ୍ରୀଙ୍କ ସହ ଏଠାରେ ସୁରକ୍ଷିତ ଅବତରଣ କରିଛି। ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ।”
ବିମାନଟିରେ ଥିବା ଲୋକମାନଙ୍କୁ ଆଉ ଗୋଟିଏ ବିମାନରେ ନାଗପୁରରୁ ପାଟନା ନେବାର ବ୍ୟବସ୍ଥା କରାଯାଉଛି। ସେହିପରି ବୈଷୟିକ ଟିମ୍‌ ପୂରା ବିମାନକୁ ଯାଞ୍ଚ କରୁଛନ୍ତି।

Leave A Reply

Your email address will not be published.