ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପୁଣି ଫୁ : କୁରୁକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ

27

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶକୁ ବି ମାନିନାହାନ୍ତି ଆଇନଜୀବୀ । ସମ୍ବଲପୁରରେ ପୁଣି ଗତ ୩୦ ତାରିଖ ଭଳି ସ୍ଥିତି ଆଜି ଦେଖିବାକୁ ମିଳିଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ଓ ବିଭିନ୍ନ ସାମାଜିକ ସଂଗଠନର ଆନ୍ଦୋଳନ ବେଳେ ପୁଲିସ-ଓକିଲ ମୁହାଁମୁହିଁ ହୋଇଥିଲେ । କଚେରୀ ଛକରେ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା । ଆଡଭୋକେଟ୍ ଜେନେରାଲଙ୍କ କୁଶପୁତ୍ତଳିକା ଦାହ ସାଙ୍ଗକୁ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ଭିତରକୁ ଧସେଇ ପଶିଥିଲେ ଆନ୍ଦୋଳନକାରୀ ଓକିଲ । ଏପରିକି ବିଚାରପତିଙ୍କ ଚାମ୍ବରରେ ପଶି ଚେୟାର, ଟେବୁଲ ଓ କାଚ ଝରକା ଭଙ୍ଗାରୁଜା କରିବାକୁ ବି ପଛେଇ ନଥିଲେ ।
କେବଳ ସମ୍ବଲପୁର ନୁହେଁ ସ୍ଥାୟୀ ବେଞ୍ଚ ଦାବି ଏବଂ ଲାଇସେନ୍ସ ବାତିଲ ନେଇ ସୁପ୍ରିମମୋର୍ଟଙ୍କ ନିର୍ଦ୍ଦେଶର ପ୍ରତିବାଦରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗିର, ଧର୍ମଗଡ଼ ଏବଂ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରେ ମଧ୍ୟ କୋର୍ଟ ଆଗରେ ଆନ୍ଦୋଳନ କରିଥିଲେ ଆଇନଜୀବୀ । ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଗଣତାନ୍ତ୍ରିକ ଦର୍ଶାଇ ନିଖିଳ ଓଡ଼ିଶା ଆଇନଜୀବୀ ମହାସଂଘ ଡାକରାରେ ଭୁବନେଶ୍ୱର ଓ ବାଲେଶ୍ୱର ଜିଲ୍ଲା ଦୌରାଜଜଙ୍କ କୋର୍ଟ ଆଗରେ ମଧ୍ୟ ସତ୍ୟାଗ୍ରହ କରିଥିଲେ ସଂଘର ସଦସ୍ୟ । ଏପଟେ ସର୍ବୋଚ୍ଚ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଆଇନଜୀବୀଙ୍କ ଏଭଳି କୋର୍ଟ ବର୍ଜନ ଓ ଉଗ୍ର ଆନ୍ଦୋଳନକୁ ଦେଖି ଆଜି ରାଜ୍ୟ ପୋଲିସ୍ ଡିଜିଙ୍କୁ କଡ଼ା ଭର୍ସନା କରିଛନ୍ତି ସୁପ୍ରିମକୋର୍ଟ । ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ୍ ସଞ୍ଜୟ କିଷାନ୍ କାଉଲ୍ ଓ ଜଷ୍ଟିସ୍ ଅଭୟ ଏସ୍ ଓକାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଆନ୍ଦୋଳନର ଭିଡିଓ ଫୁଟେଜ୍ ଦେଖି କୋର୍ଟ କହିଛନ୍ତି, ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପୋଲିସର ବିଫଳତା । ଯଦି ଓଡ଼ିଶା ପୋଲିସ୍ ଏହି ଆନ୍ଦୋଳନକୁ ରୋକିବାରେ ଅସମର୍ଥ ତେବେ, ଆମକୁ କୁହନ୍ତୁ , ଆମେ ଓଡ଼ିଶାରେ କୋର୍ଟର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ପାରାମିଲିଟାରୀ ନିୟୋଜିତ କରିବୁ ।
କେବଳ ସେତିକି ନୁହେଁ, ଏନେଇ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ କୋର୍ଟଙ୍କ ଏଇ ନିର୍ଦ୍ଦେଶ ଉପରେ ପ୍ରତିକ୍ରିୟା ରଖି ଗଞ୍ଜାମ ଓକିଲ ସଂଘ କହିଛି, ଆନ୍ଦୋଳନରେ କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ନାହିଁ ହେଲେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଏଭଳି ସ୍ଥିତିରେ ଆନ୍ଦୋଳନ ଆଗକୁ କେଉଁ ମୋଡ଼ ନେଉଛି, ଓକିଲଙ୍କୁ ଆନ୍ଦୋଳନରୁ ନିବୃତ୍ତ କରାଇବାକୁ ପୋଲିସ କି ପଦକ୍ଷେପ ନେଉଛି, କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ କଣ ରହୁଛି, ଏବେ ତା ଉପରେ ନଜର ।

Comments are closed, but trackbacks and pingbacks are open.