୩ ବର୍ଷରେ ମହିଳାଙ୍କ ଉପରେ ଅତ୍ୟାଚାରର ସଂଖ୍ୟା ବଢ଼ିଛି

23

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆମେ ପଦ୍ମପୁର ଉପନିର୍ବାଚନର ଜନାଦେଶକୁ ସ୍ୱୀକାର କରୁଛୁ । ଯିଏ ଜିତେ, ସ୍ୱାଭାବିକ ଭାବେ ତାଙ୍କ ମନ ଖୁସିଥାଏ । ସେ ଟିକେ ବଢି ଚଢି କହିବା ସ୍ୱାଭାବିକ । ମାତ୍ର ପଦ୍ମପୁର ଉପନିର୍ବାଚନ ସମ୍ପର୍କରେ ମନ୍ତବ୍ୟ ଦେଇଥିବା ଲୋକମାନେ ଭୁଲିବା ଉଚିତ୍ ନୁହେଁ, ବିଜେପି ଏହି ଉପନିର୍ବାଚନରେ ୭୮ ହଜାର ଭୋଟ୍ ପାଇଛି । ଏହାର ଅର୍ଥ କ’ଣ ଏହି ଭୋଟରେ ମହିଳାମାନେ ବିଜେପିକୁ ଭୋଟ୍ ଦେଇନାହାନ୍ତି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ମହିଳା ସଶକ୍ତୀକରଣର ସବୁଠୁ ବିଶ୍ୱସନୀୟ ବ୍ୟକ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସୌଭାଗ୍ୟ ଯୋଜନାରେ ଘରକୁ ବିଜୁଳି ସଂଯୋଗ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଚୁଲା ପହଞ୍ଚାଇବାରେ ନରେନ୍ଦ୍ର ମୋଦୀ ଦେଶରେ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି । ଅପରପକ୍ଷରେ ଓଡ଼ିଶା ବିଧାନସଭାରେ ସରକାରୀ ଦଳ ତରଫରୁ ବିବୃତି ଆସିଛି, ବିଗତ ୩ ବର୍ଷରେ ମହିଳାଙ୍କ ଉପରେ ଅତ୍ୟାଚାରର ସଂଖ୍ୟା ବଢିଛି । ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେବାରେ ଓ ସେମାନଙ୍କୁ ସଶକ୍ତୀକରଣ କରିବାରେ ଭାରତ ସରକାର ଦେଉଥିବା ଅର୍ଥର ସଠିକ ବିନିଯୋଗ ହେଉ, ଏହା ଆମର ଅପେକ୍ଷା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଗଣତନ୍ତ୍ରର ସର୍ତ୍ତ ହେଲା ଲୋକମାନେ ପକ୍ଷ ଓ ପ୍ରତିପକ୍ଷ ନିଜ ନିଜ ପସନ୍ଦକୁ ନେଇ ଲୋକଙ୍କ ପାଖକୁ ଯିବେ ଏବଂ ଲୋକମାନେ ଯାହା ପସନ୍ଦ କରିବେ । ବିଜେପି ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି । ବିଜେପି ତା’ର ରାଜନୈତିକ ଏଜେଣ୍ଡା ନେଇ ଲଢୁଛି । ଓଡ଼ିଶାର ବିକାଶ ପାଇଁ ଓଡ଼ିଆ ଲୋକମାନେ ନରେନ୍ଦ୍ର ମୋଦୀଙ୍କୁ ଅଧିକ ବିଶ୍ୱାସ କରୁଛନ୍ତି ଏବଂ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Comments are closed, but trackbacks and pingbacks are open.