ଭୁବନେଶ୍ବର: ଭିତରକନିକା ଓ ଗହୀରମଥାରେ ବଢ଼ିଛି ଡଲଫିନ୍ ସଂଖ୍ୟା । ଡଲଫିନ୍ଙ୍କ ପାଇଁ ଓଡ଼ିଶା ପାଣିପାଗ ଓ ପରିବେଶ ବେଶ ସୁହାଇଛି । ଚଳିତବର୍ଷ ୫୦୫ ଡଲଫିନ ଗଣନା କରାଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୩ଟି ଡଲଫିନ ସଂଖ୍ୟା ବୃଦ୍ଧି ପାଇଛି । ବଉଳା କୁମ୍ଭୀର ଓ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ପାଇଁ ଭିତରକନିକା ଓ ଗହିରମଥା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଏବେ ଡଲଫିନଙ୍କ ଏନ୍ତୁଡ଼ିଶାଳ ଭାବେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି । ଓଡିଶାରେ ସବୁଠୁ ଅଧିକ ପ୍ରଜାତିର ଡଲଫିନ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳୁଛି । ଚଳିତ ବର୍ଷ ଗଣନା ରିପୋର୍ଟ ଅନୁଯାୟୀ ସାରା ଓଡିଶାରେ ୭୧୦ଟି ଡଲଫିନ ଗଣନା କରାଯାଇଥିବା ବେଳେ କେବଳ ଭିତରକନିକା ଓ ଗହିରମଥାରେ ୫୦୫ଟି ଡଲଫିନ ଗଣନା କରାଯାଇଛି । ୪ ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥିବା ଗଣନା ରିପୋର୍ଟରେ ଦର୍ଶାଯାଇଛି । ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଜାନୁୟାରୀ ୨୭ ରୁ ୨୯ ତାରିଖ ୩ ଦିନ ଯାଏଁ ଡଲଫିନ୍ ଗଣନା କରାଯାଇଥିଲା । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା ନଦୀ, ନାଳରେ ୯ଟି ଗଣନାକାରୀ ଟିମ୍ ଡଲଫିନ ଗଣନା କରିଥିଲେ । ତେବେ ଭିତରକନିକାରେ ଏତେ ସଂଖ୍ୟକ ଡଲଫିନ୍ ପ୍ରତ୍ୟକ ବର୍ଷ ଦେଖା ଯାଉଥିବାରୁ ଏହା ଭିତରକନିକା ଓ ଗହିରମଥା ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ।
Comments are closed, but trackbacks and pingbacks are open.