ଗୁଜୁରାଟରେ ମଦ ମୃତ୍ୟୁ ସଂଖ୍ୟା ୩୯ : ହସ୍ପିଟାଲରେ ୬୦ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ

17

ଅହମ୍ମଦାବାଦ : ବୁଧବାର ଗୁଜୁରାଟର ବୋଟାଡ ଜିଲ୍ଲା ତଥା ନିକଟବର୍ତ୍ତୀ ଗ୍ରାମରେ ହୋଇଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମୃତ୍ୟୁସଂଖ୍ୟା ୩୯ କୁ ବୃଦ୍ଧି ପାଇଛି। ଏଥି ସହ ତଦନ୍ତକୁ ତ୍ୱରାନ୍ୱିତ କରି ପୋଲିସ ଏବଂ ରାଜ୍ୟ ସରକାର ବେଆଇନ ମଦ ଦୋକାନ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଏହି ଘଟଣାରେ ଅତି କମରେ ୬୦ ଜଣ ଙ୍କ ଅବସ୍ଥା ହସ୍ପିଟାଲରେ ସଙ୍କଟାପନ୍ନ ରହିଛି I ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି।

ସୂଚନାନୁସାରେ ବୋଟାଡ ଜିଲ୍ଲାରୁ ସର୍ବାଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଠାରେ ବିଷାକ୍ତ ମଦ ଯୋଗୁଁ ଗତକାଲି ୨୪ ଜଣଙ୍କର ମୃତ୍ୟୁ ଥିଲା । ଗୁଜୁରାଟର ପୋଲିସ ମହାନିର୍ଦ୍ଦେଶକ ଆଶିଷ ଭାଟିଆ ଗାନ୍ଧୀନଗରରେ କହିଛନ୍ତି ଯେ, ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨, ୩୨୮ ଏବଂ ୧୨୦-ବି ଅନୁଯାୟୀ ୧୪ ଜଣଙ୍କ ବିରୋଧରେ ତିନୋଟି ଏଫଆଇଆର ଦାଖଲ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ହେପାଜତକୁ ନିଆଯାଇଛି।

ମଦ ନୁହେଁ ବରଂ କେମିକାଲ ପାଉଚ୍ କରି ବିକ୍ରି କରୁଥିଲେ କିଛି ଯୁବକ, ଯାହାକୁ ପିଇ ଲୋକେ ପ୍ରାଣ ହରାଇଛନ୍ତି । ଏହାକୁ ପୁରା ଯୋଜନା ବଦ୍ଧ ଭାବରେ କରାଯାଇଛି । ଏଠାରେ ଥିବା ଇମୋସ୍ ନାମକ କମ୍ପାନୀ ମିଥାଇଲ ପ୍ରସ୍ତୁତ କରେ । କମ୍ପାନୀର ଗୋଦାମ ମ୍ୟାନେଜର ଜୟେଶ ଗୋଦାମରୁ ପାଖାପଖି ୨୦୦ ଲିଟର କେମିକାଲ ବାହାର କରି ୬୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା । ଯାହାକୁ ନେଇ କିଛି ଯୁବକ ପାଉଚ୍ ପ୍ରସ୍ତୁତ କରି ମଦ ନାଁରେ ବିକିଦେଇଥିଲେ । ଏହି କେମିକାଲ କୁ ପିଇ ଲୋକଙ୍କ ଜୀବନ ଯାଇଛି ।

ସୋମବାର ସକାଳେ ଏହି ଘଟଣା ସାମ୍ନାକୁ ଆସିଥିଲା , ଯେତେବେଳେ ବୋଟାଡ ଏବଂ ଅନ୍ୟାନ୍ୟ ନିକଟ ଗ୍ରାମରେ ରହୁଥିବା କିଛି ଲୋକ ସେମାନଙ୍କ ଅବସ୍ଥା ଖରାପ ହେବା ପରେ ବାରୱାଲା ଅଞ୍ଚଳ ତଥା ବୋଟାଡ ସହରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଭାଟିଆ କହିଛନ୍ତି ଯେ , ‘ଫୋରେନସିକ୍ ବିଶ୍ଳେଷଣରୁ ଜଣାପଡିଛି ଯେ ପୀଡିତମାନେ’ ମିଥାଇଲ୍ ଆଲକୋହଲ୍ ‘ପିଇଛନ୍ତି । ତେବେ ପୋଲିସ ଅନୁସନ୍ଧାନ କରି ୧୪ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଗିରଫ କରିଛି । ଗୁଜୁରାଟ ଆତଙ୍କବାଦ ନିରୋଧୀ ସ୍କୁଆଡ଼ (ଏଟିଏସ) ଏବଂ ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ମଧ୍ୟ ଏହି ଘଟଣାରେ ମିଳିତ ଅନୁସନ୍ଧାନ କରୁଛନ୍ତି I

ଏହି ସମୟରେ ରାଜ୍ୟ ସରକାର ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଗୁଜୁରାଟ ଗୃହ ବିଭାଗ ବରିଷ୍ଠ ଭାରତୀୟ ପୋଲିସ ସେବା ଅଧିକାରୀ ସୁଭାଷ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ତିନିଜଣିଆ କମିଟି ଗଠନ କରିଛି। ତିନି ଦିନ ମଧ୍ୟରେ କମିଟି ଏହାର ରିପୋର୍ଟ ଦାଖଲ କରିବ।

Comments are closed, but trackbacks and pingbacks are open.