ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି ଶୁଭ୍ରକାନ୍ତ ପଣ୍ଡା

22

ଭୁବନେଶ୍ୱର: ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ(ଫିକି)  ମୁମ୍ବାଇଠାରେ ଅନୁଷ୍ଠିତ ଏହାର ଜାତୀୟ କାର୍ୟ୍ୟନିର୍ବାହୀ ବୈଠକରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କୁ ପରବର୍ତ୍ତୀ ସଭାପତି ଭାବେ ଘୋଷଣା କରିଛି । ପଣ୍ଡା ବର୍ତ୍ତମାନ ଫିକିର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଭାବେ ପଦସ୍ଥ ଅଛନ୍ତି ଏବଂ ଡିସେମ୍ବର ୧୬-୧୭ରେ ହେବାକୁ ଥିବା ଫିକିର ୯୫ ତମ ବାର୍ଷିକ ସାଧାରଣ ବୈଠକରେ ସେ ସଭାପତି ଭାବେ ସଞ୍ଜୀବ ମେହେଟ୍ଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ । ପଣ୍ଡା ଦେଶର ଅଗ୍ରଣୀ ଫେରୋ ଆଲୟ ଉତ୍ପାଦନକାରୀ କମ୍ପାନୀ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଭାବେ ସେ କମ୍ପାନୀର ବିଭିନ୍ନ ଦାୟିତ୍ୱ ସଫଳତାର ସହିତ ପରିଚାଳନା କରିବା ସହ ଇମ୍ଫାକୁ ଏକ ଲାଭଜନକ ସଂସ୍ଥା ଭାବେ ଅବସ୍ଥାପିତ କରାଇଛନ୍ତି । ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ଫିକି ଇଣ୍ଡିଆର ସଭାପତି ପଦବୀ ନିମନ୍ତେ ପ୍ରଥମ ଓଡିଆ ଭାବେ ପଣ୍ଡା ଦାୟିତ୍ୱ ନେବେ । କହିରଖୁଛୁ ପଣ୍ଡା ଫିକି ସହିତ ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ କାର୍ୟ୍ୟ ସହ ଜଡିତ ଅଛନ୍ତି । ଫିକି ଓଡିଶାର ପ୍ରଥମ ରାଜ୍ୟ ଅଧ୍ୟକ୍ଷ ହେବା ସହିତ ଜାତୀୟ ମାନୁଫ୍ୟାକ୍ଚରିଂ କମିଟିର ମଧ୍ୟ ଅଧ୍ୟକ୍ଷ ରୂପେ କାର୍ୟ୍ୟ ନିର୍ବାହ କରିଛନ୍ତି । ୨୦୧୭-୧୮ରେ ଆନ୍ତର୍ଜାତୀୟ ଚାମ୍ବର ଅଫ୍ କମର୍ସର ଇଣ୍ଡିଆ ଚାପ୍ଟରର ସଭାପତି ପଦ ଏବଂ ୨୦୧୩-୧୫ରେ ପ୍ୟାରିସ୍ ସ୍ଥିତ ଇଣ୍ଟରନ୍ୟାସନାଲ୍ କ୍ରୋମିଅମ୍ ଡେଭଲପମେଣ୍ଟ ଆସୋସିଏସନ୍ (ଆଇସଡିଏ)ର ସଭାପତି ପଦ ନିର୍ବାହ କରିଛନ୍ତି । ଆମେରିକା ସ୍ଥିତ ବୋଷ୍ଟନ ୟୁନିଭର୍ସିଟି କ୍ୱେଷ୍ଟର୍ମ ସ୍କୁଲ୍ ଅଫ୍ ବିଜିନେସରୁ ଫାଇନାନ୍ସ ଓ ଅପରେସନ ମ୍ୟାନେଜମେଣ୍ଟରେ ଯୌଥ ଡିଗ୍ରୀ ହାସଲ କରିଥିବା ପଣ୍ଡା ପଢିବା ଏବଂ ଟେକ୍ନୋଲୋଜିରେ ରୁଚି ରଖନ୍ତି ।

Comments are closed, but trackbacks and pingbacks are open.