ଗୃହରୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

65

ଭୁବନେଶ୍ୱର: ମନ୍ତ୍ରୀ ହେବ ତ ଏମିତି । ବିଧାନସଭାରେ ପ୍ରଶ୍ନ । ଆଉ ଏହାର ସମାଧାନ ପାଇଁ ଗୃହରୁ ହିଁ ଅଧିକାରୀଙ୍କୁ ନିର୍ଦ୍ଦେଶ । ଆଜି ବିଧାନସଭାରେ ଏଭଳି କିଛି ଦେଖିବାକୁ ମିଳିଛି ।   ସମସ୍ୟାର ସମାଧାନ ପାଇଁ ଗୃହ ଭିତରୁ ବିଭାଗକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଗୁରୁବାର ବିଧାନସଭାରେ ପ୍ରଶ୍ନକାଳ ଚାଲିଥିଲା, ଆଉ ସୌରଚାଳିତ ଗଭୀର ନଳକୂପ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୁଖ୍ୟମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରିଥିବା ପ୍ରଶ୍ନର ଉତ୍ତର ରଖି, ଅଧିକାରପ୍ରାପ୍ତ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ, ଉଠା ଜଳ ନିଗମ ଦ୍ଵାରା କୋରାପୁଟ ଜିଲ୍ଲାରେ ୩୫୯ଟି  ସୌରଚାଳିତ ଗଭୀର ନଳକୂପ ପ୍ରତିଷ୍ଠା କରାଯାଇଥିଲା । ତେବେ ସେଥିରେ ତାର ଚୋରି ଏବଂ ପମ୍ପ ତଳେ ପଡ଼ିଯିବା କଥା ଉଠାଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଏହାକୁ ସରକାର ଗୁରୁତର ସହ ଗ୍ରହଣ କରିବ ବୋଲି କହିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଥିସହ ଦାୟିତ୍ୱରେ ଥିବା ବିଭାଗ ଏବଂ ଜିଲ୍ଲା କାର୍ୟ୍ୟାଳୟକୁ ବିଧାନସଭାରେ ଉତ୍ତର ରଖିଲା ବେଳେ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ । ଅଧିକାରୀ ମାନେ ଜୟପୁର ବିଧାୟକଙ୍କ ସହ ଆଲୋଚନା କରି ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କରିବା ପାଇଁ ଦାୟିତ୍ଵ ସଂପୂର୍ଣ୍ଣ ଅଫିସର ଭାବେ କାର୍ୟ୍ୟ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ।

Comments are closed, but trackbacks and pingbacks are open.