ଯୋରନ୍ଦା ମହିମା ଗାଦୀରେ ଉଚ୍ଛେଦ: ମାଟିରେ ମିଶିଲା କୌପିନୀଧାରୀଙ୍କ ବତୀଘର ଓ ଧୂନୀଘର

27

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଯୋରନ୍ଦା ମହିମାଗାଦୀସ୍ଥିତ କୌପିନୀଧାରୀ ମହିମା ସମାଜର ବତୀଘର ଓ ଧୂନୀଘରକୁ ଆଜି ପ୍ରଶାସନ ଭାଙ୍ଗି ଦେଇଛି । ଆଜି ସକାଳ ୧୦ ଘଟିକା ସମୟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେଥିପାଇଁ ଆଜି ଗାଦିଠାରୁ ମନ୍ଦିର ତୃତୀୟ ବେଢ଼ା ଚତୁଃପାଶ୍ୱର୍ ପ୍ରବେଶ ପଥ, ଉତ୍ତର ସିଂହଦ୍ୱାର, ବଡ଼ଦାଣ୍ଡରେ ବାରିକେଡ କରାଯାଇଥିଲା । ଘଟଣା ସ୍ଥଳରେ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଅତିରିକ୍ତ ଏସପି, ଥାନା ଅଧିକାରୀ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଉଚ୍ଛେଦ ବେଳେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଗାଦି ପରିସରରେ ୨ ଜଣ ଡିଏସପି, ୭ ଜଣ ଇନିସ୍ପେକ୍ଟର ଉପସ୍ଥିତ ଥିଲେ । ମହିମା ଗାଦୀ ତୃତୀୟ ବେଢ଼ା ମଧ୍ୟରେ ସିଦ୍ଧବଡ କୃପାସିଙ୍କୁ ବାବାଙ୍କ ସମୟରୁ ବତୀ ମନ୍ଦିର, ଧୂନୀ ମନ୍ଦିର ନିର୍ମିତ ହୋଇଥିଲା । ବାବାଙ୍କ ଅନ୍ତେ ୧୯୪୩ ମସିହାରେ ବଳ୍କଳଧାରୀ ମହିମା ସମାଜ ପକ୍ଷରୁ ତୃତୀୟ ବେଢ଼ା ମଧ୍ୟରୁ ବତୀ ମନ୍ଦିର ଓ ଧୂନୀ ମନ୍ଦିର ଉଚ୍ଛେଦ ପାଇଁ କୋର୍ଟରେ ମାମଲା ହୋଇଥିଲା । ଏ ସମ୍ପର୍କରେ ବିଭିନ୍ନ ସମୟରେ ବିଭିନ୍ନ ରାୟ ଆସିଛି । ଶେଷରେ ଗତ ଜୁଲାଇ ୧୧ ତାରିଖରେ ପ୍ରଥମେ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଆବଶ୍ୟକୀୟ ପୁଲିସ ସୁରକ୍ଷା ବ୍ୟବସ୍ଥା ହୋଇ ନପାରିବାରୁ ଉଚ୍ଛେଦ ସ୍ଥଗିତ ରହିଥିଲା । ପରେ କୌପୀନଧାରୀ ମହିମା ସମାଜ ପକ୍ଷରୁ ହାଇକୋର୍ଟରୁ ରହିତାଦେଶ ଆଣିବାରୁ ଉଚ୍ଛେଦ କାର୍ଯ୍ୟ ପୁନର୍ବାର ସ୍ଥଗିତ ରହିଥିଲା । ଗତ ଅକ୍ଟୋବର ୩୦ ତାରିଖରେ ସ୍ଥିଗିତାଦେଶ ଉଠିଯାଇଥିଲା । ଫଳରେ ବଳ୍କଳଧାରୀ ସମାଜ ପକ୍ଷରୁ କୋର୍ଟକୁ ନିବେଦନ କରାଯିବା ପରେ କୋର୍ଟ ପକ୍ଷରୁ ଉଚ୍ଛେଦ ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ କୌପନୀଧାରୀଙ୍କ ବତୀଘର ଓ ଧୂନୀ ଘର ପାଇଁ ପ୍ରଶାସନ ଅନ୍ୟତ୍ର ସ୍ଥାନ ଚିହ୍ନଟ କରିବା ପରେ ଉଚ୍ଛେଦ କରାଯିବ । କିନ୍ତୁ ପ୍ରଶାସନ କୌପିନୀଧାରୀଙ୍କ ପାଇଁ ଅନ୍ୟତ୍ର ଜମି ଚିହ୍ନଟ ନକରି ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା । ଜେସିବି ଜରିଆରେ ପ୍ରଶାସନ ବତୀଘର ଓ ଧୂନୀଘର ସମେତ ଅନ୍ୟ କେତେକ ନିର୍ମାଣ ଢାଞ୍ଚାକୁ ମାଟିରେ ମିଶାଇ ଦେଇଥିଲା । କୌପିନୀଧାରୀ ମହିମା ସମାଜର ପୂଜାର୍ଚ୍ଚନା ପାଇଁ କୌଣସି ବ୍ୟବସ୍ଥା କରାନଯାଇ ଏହାକୁ ଭାଙ୍ଗିଦେବାରୁ କୌପିନୀଧାରୀ ମହିମା ସମାଜର ଭକ୍ତ ମ୍ରିୟମାଣ ହୋଇପଡ଼ିବା ସହ କାନ୍ଦବୋବାଳିରେ ମହିମାଗାଦୀ ପ୍ରକମ୍ପିତ ହୋଇଥିଲା । ଜିଲ୍ଲା ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଇଛି । ୧୯୪୩ ମସିହା ଠାରୁ ଏହି ବିବାଦ ବଳ୍କଳଧାରୀ ଓ କୌପିନୀଧାରୀ ମହିମା ସମାଜ ମଧ୍ୟରେ ଲାଗି ରହଥିବା ବେଳେ ଏହା କୋର୍ଟରେ ବିଚାରଧୀନ ଥିଲା । ଦୀର୍ଘ ୭୮ ବର୍ଷର ମହାବିବାଦର ଅବସାନ ଘଟାଇ କୋର୍ଟ ରାୟ ପ୍ରକାଶ କରିଥିଲେ ମଧ୍ୟ ଏହି ରାୟକୁ ପ୍ରଶାସନ ପକ୍ଷରୁ ଉପେକ୍ଷା କରାଯାଇଛି ବୋଲି ମହିମା ସମାଜର ଭକ୍ତମାନେ ପ୍ରତିକ୍ରିୟାଶୀଳ ହୋଇ କହିଛନ୍ତି । କୋର୍ଟ ରାୟକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୧୮ ତାରିଖ ଠାରୁ ବିବାଦୀୟ ସ୍ଥଳରେ ୧୪୪ ଧାରା ଜାରି ହୋଇଥିଲା ଓ ପୁଲିସ ମୁତୟନ ହୋଇଥିଲେ ।

Comments are closed, but trackbacks and pingbacks are open.