ଭୁବନେଶ୍ୱର, ୨୪ ।୭: ଦୀର୍ଘ ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ଆଜି ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି। ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟାରେ ଛେରାପହଁରା କାର୍ଯ୍ୟ ସଂପାଦିତ ହୋଇଥିଲା। ଅପରାହ୍ନ ୪ଟାରେ ଭକ୍ତମାନେ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଟାଣିଥିଲେ। ଶ୍ରୀବାଣୀକ୍ଷେତ୍ରର ରଥଯାତ୍ରାର ଏକ ବିଶେଷତ୍ୱ ହେଉଛି ଏଠାରେ ମାଆ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି। ତିନି ରଥଙ୍କୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀବାଣୀକ୍ଷେତ୍ର ପର୍ଯ୍ୟନ୍ତ ଟଣାଯାଇଥିଲା । ବାହୁଡ଼ା ଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମ ହୋଇ ସୁସଜ୍ଜିତ ତାଳଧ୍ୱଜ,ଦେବଦଳନ ଓ ନନ୍ଦିଘୋଷ ରଥକୁ ଟାଣିବା ସହ ଦୈବୀକୃପା ଲାଭ କରିଥିଲେ। ଘଣ୍ଟଘଣ୍ଟା, ମର୍ଦ୍ଦଳ ଧ୍ୱନୀ ଓ ହୁଳହୁଳିରେ ରଥଦାଣ୍ଡ କମ୍ପିଥିଲା। ଆସନ୍ତା କାଲି ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ। ଭକ୍ତମାନେ ଯେପରି ସୁଚାରୁ ରୂପେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ସେଥିପାଇଁ କିଟ୍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
Comments are closed, but trackbacks and pingbacks are open.