ଭକ୍ତଙ୍କ ଗହଣରେ ରଙ୍ଗ ଖେଳିଲେ ମହାପ୍ରଭୁ

55

ଭୁବନେଶ୍ବର: ରଙ୍ଗର ପର୍ବ ହୋଲି ପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଆସନ୍ତା କାଲି ହୋଲି ପାଇଁ ପୁରୀରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ହୋଲି ଖେଳି ସମୁଦ୍ରରେ ସ୍ନାନ କରିଥାନ୍ତି ହଜାର ହଜାର ସଂଖ୍ୟକ ଲୋକେ । ଭାଇଚାରା ଓ ରଙ୍ଗର ପର୍ବ ହୋଲିକୁ ପାଳନ କରିବା ଲାଗି ସବୁଆଡେ ପରିବେଶ ଉତ୍ସବ ମୁଖର । ହୋଲି ପର୍ବ ପାଳନ କରିବା ଲାଗି ପୁରୀରେ ଜମିଛି ପର୍ଯ୍ୟଟକଙ୍କ ଭିଡ଼ । ଆଜି ଶ୍ରୀ ମନ୍ଦିରରେ ଦୋଳ ପୁର୍ଣ୍ଣିମା ନୀତି ହେବା ସହ ଭକ୍ତଙ୍କ ଗହଣରେ ଅବିର ଖେଳିଛନ୍ତି ମହାପ୍ରଭୁ । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ମହୋଦଧିରେ ସ୍ନାନ ଲାଗି ପ୍ରତ୍ୟେକ ବର୍ଷ ଭକ୍ତଙ୍କ ଭିଡ଼ ଜମେ । ଆସନ୍ତା କାଲି ହୋଲି ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବଡ଼ ଦାଣ୍ଡରେ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ରଙ୍ଗ ଦୋକାନ ଖୋଲିଥିବା ବେଳେ ହର୍ବାଲ ରଙ୍ଗ ଗ୍ରାହକଙ୍କୁ ଆକୃଷ୍ଟ କରିଛି । ରଙ୍ଗ ଖେଳି ସାରିବା ପରେ ହଜାର ହଜାର ସଂଖ୍ୟକ ଲୋକେ ସମୁଦ୍ରରେ ସ୍ନାନ କରିଥାନ୍ତି । ତେବେ ସୁରକ୍ଷିତ ସମୁଦ୍ର ସ୍ନାନ ଲାଗି ପଖାପାଖି ୭ ଶହ ଲାଇଫ ଗାର୍ଡ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟଟକଙ୍କ ଲାଗି କରାଯାଇଛି । ପର୍ଯ୍ୟଟକ ନିଶା ସେବନ କରି ସମୁଦ୍ର ସ୍ନାନ କରିବା ଉପରେ ନଜର ରଖିବେ ଲାଇଫ ଗାର୍ଡ । ସମୁଦ୍ର ସ୍ନାନ ସମୟରେ ଯେଭଳି କୌଣସି ଅଘଟଣ ନ ଘଟିବ ସେଥିଲାଗି ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ସହରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ । ପ୍ରତେକ ବର୍ଷ ରଙ୍ଗର ପର୍ବ ହୋଲିକୁ ପାଳନ କରିବା ଲାଗି ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ଓ ପର୍ଯ୍ୟଟକମାନେ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ରରେ ସ୍ନାନ କରି ବେଶ ଆନନ୍ଦ ଲାଭ କରିଥାନ୍ତି ।

Comments are closed, but trackbacks and pingbacks are open.