ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବେଳେ ଅଘଟଣ

2,740

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ଅନୁଷ୍ଠିତ ହେଉଥିଲା। ରାତ୍ରି ପ୍ରାୟ ଦଶ ଟା ବେଳକୁ ବିଗ୍ରହମାନେ ଡଙ୍ଗା ରେ ବିଜେ କରିଥିଲେ। ନରେନ୍ଦ୍ର ପୁଷ୍କରିଣୀର ଦେବୀ ଘାଟ ପଟକୁ ଆତସବାଜି ଫୁଟା ଯିବାକୁ ବ୍ୟବସ୍ଥା କରାଯାଇଥିଲା। ବିଗ୍ରହ ମାନେ ଡଙ୍ଗାରେ ବସି ବୁଲିବା ଆରମ୍ଭ କରି ସାରିଥିଲେ। ମଝିରେ ମଝିରେ ବାଣ ବି ଫୁଟୁଥିଲା। ସବୁ କିଛି ଠିକ୍ ଠାକ୍ ଚାଲିଥିଲା। ହେଲେ ଫୁଟାଇବା ପାଇଁ ରଖା ଯାଇଥିବା ବାଣ ବ୍ୟାଗ୍ ଗୁଡିକରେ ଅସାବଧାନତା ବଶତଃ ହଠାତ୍ ନିଆଁ ଲାଗି ଯିବାରୁ ସମସ୍ତ ବାଣ ଏକା ଥରକେ ଫୁଟି ଯାଇଥିଲା। ଆଜି ଚନ୍ଦନ ଯାତ୍ରାର ଶେଷଦିନ ଥିବାରୁ ପ୍ରବଳ ଲୋକ ଗହଳି ଥିଲା। ତେଣୁ ବାଣୁଆଙ୍କ ସମେତ ବହୁ ଦେଖଣାହାରୀ ମଧ୍ୟ ନିଆଁରେ ପୋଡି ଆହତ ହୋଇଥିବା ଜଣାପଡିଛି। ଦେହରେ ନିଆଁ ଲାଗିଯିବାରୁ କେତେକ ବ୍ୟକ୍ତି ନରେନ୍ଦ୍ର ପୁଷ୍କରିଣୀ ମଧ୍ୟକୁ ଡେଇଁ ପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ବଡ ଡାକ୍ତରଖାନାକୁ ନିଆ ଯାଇଥିଲା। ମାତ୍ର ସେଠାରେ ଚିକିତ୍ସା ଅବହେଳା ଦେଖିବାକୁ ମିଳିବାରୁ ଅସନ୍ତୋଷ ଦେଖା ଦେଇଥିଲା। ଲୋକ ଗହଳି କୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୂର୍ଣ୍ଣ ଡାକ୍ତରଖାନାକୁ ପୋଲିସ କର୍ଡନ କରି ରଖିଥିଲା। ମାତ୍ର ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଗୁରୁତର ଆହତଙ୍କୁ କଟକ ରେଫର କରାଯାଇଥିବା ସୂଚନା ମିଳିଛି। ଆହତଙ୍କ ସଂଖ୍ୟା ପଇଁତିରିଶରୁ ଅଧିକ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଏକତିରିଶ ଜଣ ଆହତ ପୁରୀ ରୁ କଟକ ଏବଂ ଭୁବନେଶ୍ବର ର ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ସରକାରୀ ଭାବେ କିଛି ସଠିକ ତଥ୍ୟ ଦିଆଯାଉନାହିଁ । ଗତକାଲି ପୁରୀ ଡାକ୍ତରଖାନା ରେ ଦୁଇଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ବର୍ତ୍ତମାନ ସୁଦ୍ଧା କଟକ ଡାକ୍ତରଖାନାରେ ତିନି ଜଣ ଏବଂ ସମ ଡାକ୍ତରଖାନା ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେସରକାରୀ ସୂତ୍ରରୁ ଜଣାପଡିଛି। ମୁଖ୍ୟ ଶାସନସଚିବ ଏସ୍ ସି ବି ରେ ପହଂଚି ଆହତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ଏବଂ ପରବର୍ତ୍ତୀ ଅବସ୍ଥାରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.