ରୋମସ୍ଥିତ ଡବ୍ଲୁପିଏଫ ମୁଖ୍ୟାଳୟରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ

26

ଇଟାଲୀ ରୋମସ୍ଥିତ ବିଶ୍ୱ ଖାଦ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଡବ୍ଲୁଏଫପି ପକ୍ଷରୁ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ଦେଇଛି ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ I ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡିଶା କେମିତି ଖାଦ୍ୟ ନିଅଂଟିଆ ରାଜ୍ୟରୁ ଆତ୍ମନିର୍ଭରଶୀଳ ରାଜ୍ୟରେ ପରିଣତ ହୋଇଛି ତାହା କହିଛନ୍ତି । ୧୯୯୯ ମହାବାତ୍ୟାରେ ବିପର୍ଯ୍ୟସ୍ତ ଅବସ୍ଥା ଠାରୁ ଆରମ୍ଭ କରି ୨୦୨୨ ଆତ୍ମନିର୍ଭରଶୀଳ ଓଡ଼ିଶାକୁ ତୁଳନା କଲେ ରୂପାୟଣର ବାସ୍ତବତା ପ୍ରତୀୟମାନ ହୁଏ। ଏକ ସମୟରେ ନିଜର ସ୍ଥିତି ଓ ସ୍ଥିତାବସ୍ଥା ନିମନ୍ତେ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା ଦେଶର ୪ର୍ଥ ବୃହତ୍ତମ ଧାନ ଉତ୍ପାଦନ ରାଜ୍ୟର ମାନ୍ୟତା ପାଇଛି। ଭାରତବର୍ଷର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଆଜି ପ୍ରମୁଖ ଅଂଶୀଦାର। ସମୟ ଥିଲା ଯେତେବେଳେ ରାଜ୍ୟ ସାରାବିଶ୍ୱରେ ଏକ ଗରିବ ଓ ବୁଭୁକ୍ଷୁ ରାଜ୍ୟ ଭାବେ ଅପବାଦ ମୁଣ୍ଡାଇଥିଲା । ହେଲେ ଏବେ ସମୟ ବଦଳିଛି, ଓଡିଶା ଆଉ ଖାଦ୍ୟ ଅଭାବ ରାଜ୍ୟ ହୋଇ ରହିନାହିଁ । ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟରେ ପରିଣତ ହୋଇଛି । ଧାନଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା, ମାଛ, ଅଣ୍ଡା, କୁକୁଡା ଉତ୍ପାଦନରେ ଓଡିଶାର କେମିତି ଆଗେଇଛି ତାହା ତଥ୍ୟ ସହିତ ଉପସ୍ଥାପନ କରିଛନ୍ତି । ଓଡିଶାର ଏହି ସଫଳତାକୁ ସାରା ବିଶ୍ୱ ଆଗରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଜି ରୋମରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି ।ବିଗତ ଦୁଇ ଦଶନ୍ଧିଧରି ଓଡ଼ିଶାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ, ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ରୂପାନ୍ତରଣକୁ ଡବ୍ଲୁଏଫପି ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶା ଭଳି ସ୍ଥିତିରେ ଥିବା ଅନ୍ୟ ରାଷ୍ଟ୍ରଙ୍କ ପାଇଁ ଏହା ଖୁବ ଉପାଦେୟ ବୋଲି ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସଲେ କହିଛନ୍ତି ।

Comments are closed, but trackbacks and pingbacks are open.