ଆସନ୍ତାବର୍ଷ ବାରବାଟୀରେ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍

23

ଆସନ୍ତାବର୍ଷ ଅର୍ଥାତ୍ ୨୦୨୨, ଫେବୃଆରୀ ୧୫ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍। ଏଥିପାଇଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଦୀର୍ଘ ଦୁଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଏହା ବହୁତ ବଡ଼ ଖୁସି ଖବର I
ଏହା ପୂର୍ବରୁ ଶେଷଥର ଲାଗି ଡିସେମ୍ବର ୨୨, ୨୦୧୯ରେ ବାରବାଟୀରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ସେତେବେଳେ ମଧ୍ୟ ଭାରତର ସାମ୍ନା ୱେଷ୍ଟଇଣ୍ଡିଜ୍ ସହ ହୋଇଥିଲା। ଏହି ମ୍ୟାଚରେ ଭାରତ ୪ ୱିକେଟରେ ବିଜୟୀ ହୋଇଥିଲା। ଏହାର ଦୁଇ ବର୍ଷ ପରେ ପୁଣିଥରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ଦାୟିତ୍ୱ ମିଳୁଥିବାରୁ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।
ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବାକୁ ଆସିବ। ପ୍ରଥମେ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍ ଫେବୃଆରୀ ୬ରୁ ୧୨ ତାରିଖ ଯାଏ ଯଥାକ୍ରମେ ଅହମ୍ମଦାବାଦ, ଜୟପୁର, କୋଲକାତାରେ ଅନୁଷ୍ଠିତ ହେବ। ଏହା ପରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଟକରେ ଖେଳାଯିବ। ଏହା ପରେ ବାକି ଦୁଇଟି ମ୍ୟାଚ୍ ବିଶାଖାପାଟଣା ଓ ଥିରୁବନନ୍ତପୁରମରେ ଖେଳାଯିବ।
ସୂଚନା ଯୋଗ୍ୟ ବାରବାଟୀରେ ଏପର୍ଯ୍ୟନ୍ତ ମାତ୍ର ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଛି। ୨୦୧୫, ଅକ୍ଟୋବର ୫ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ହେଲେ ଏହି ମ୍ୟାଚରେ ଭାରତ ଶୋଚନୀୟ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ନିକଟରୁ ୬ ୱିକେଟରେ ପରାସ୍ତ ହୋଇଥିଲା। ଏହା ପରେ ୨୦୧୭ ମସିହା ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ୯୩ ରନରେ ବିଜୟ ଲାଭ କରିଥିଲା।

Leave A Reply

Your email address will not be published.