ଭାରତ ଓ ଅଷ୍ଟ୍ରେଲିଆ ସମ୍ପର୍କର ଇତିହାସ ନୂଆ ଉଚ୍ଚତାକୁ ଯାଇଛି- ଧର୍ମେନ୍ଦ୍ର ପ୍ରଧାନ

33

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ବ୍ରେନଡେନ୍ ଓ’ କୋନୋରଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ୍ କରିଛନ୍ତି । ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶର ସହଭାଗିତାକୁ ଆହୁରି ସୁଦୃଢ କରିବା ସହ ସମ୍ପ୍ରସାରଣ କରିବା ଦିଗରେ ଉଭୟ ଦେଶର ମନ୍ତ୍ରୀ ଆଲୋଚନା କରିଛନ୍ତି ।

ଏହି ସମୟରେ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ପଦର ପରିଚାଳନା ଉପରେ ଗୁରୁତ୍ୱ ଦେବା ସହ ବର୍ତ୍ତମାନ ଖଣି ଖନନ, କୃଷି ପ୍ରଯୁକ୍ତିବିଦ୍ୟା, ଜଳ ପରିଚାଳନା, ଅକ୍ଷୟ ଉର୍ଜା,ତଥା ଗ୍ରୀନ ହାଇଡ୍ରୋଜେନ୍ ପାଠ୍ୟକ୍ରମର ବିଷୟ ଗୁଡିକର ବିକଶିତ କରିବା ପାଇଁ ମିଳିତ ଉଦ୍ୟମ କରିବା ପାଇଁ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ ।
ଶ୍ରୀ ପ୍ରଧାନ କହିଥିଲେ ଭାରତ ଓ ଅଷ୍ଟ୍ରେଲିଆ ସମ୍ପର୍କ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ, ଯାହାର ଇତିହାସ ନୂଆ ଉଚ୍ଚତାକୁ ଯାଇଛି । ଅଷ୍ଟ୍ରେଲିଆର ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ଶିକ୍ଷାଗତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି, ମାଇଗ୍ରେସନ ଓ ମୋବିଲିଟି ପାର୍ଟନରସିପ୍ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ଭାରତ ଓ ଅଷ୍ଟ୍ରେଲିଆର ଦକ୍ଷତା କ୍ଷେତ୍ର ସହ ଜଡ଼ିତ ନିୟମକୁ ମିଳିତ ଭାବରେ କାର୍ଯ୍ୟ କରିବା ଉପରେ ଆଲୋଚନା କରିଛନ୍ତି । ଉଭୟ ଦେଶରେ ଧନ୍ଦାମୂଳକ କୌଶଳର ମାନ୍ୟତା ପ୍ରଦାନକୁ ତ୍ୱରାନ୍ୱିତ କରିବା, ଡୁଆଲ୍ ସାର୍ଟିଫିକେସନ ପ୍ରଦାନ କରିବା,ଭର୍ଚ୍ଚୁଆଲ ଏବଂ ଫିଜିକାଲ କାର୍ଯ୍ୟକ୍ରମର ଆଦାନପ୍ରଦାନ ସହ ଆପ୍ରେଣ୍ଟସିପ୍ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପର ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ଦକ୍ଷତା ବିକାଶରେ କ୍ଷମତାକୁ ବୃଦ୍ଧି କରିବା ଦିଗରେ ଅଷ୍ଟ୍ରେଲିଆର ଭେଟ୍ ଟ୍ରେନିଂ ପାର୍ଟନରକୁ ସ୍ୱାଗତ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ମନ୍ତ୍ରୀଙ୍କୁ ଚଳିତବର୍ଷ ସେପ୍ଟେମ୍ବରରେ ଗୁଜୁରାଟର ଗାନ୍ଧୀନଗରରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ(ଏଆଇଇଏସସି) ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏହି ବୈଠକ ଉଭୟ ଦେଶର ଶିକ୍ଷା, ଦକ୍ଷତା ବିକାଶ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ ପ୍ରଦାନ କରିବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଅଷ୍ଟ୍ରେଲିଆ ମନ୍ତ୍ରୀ କହିଥିଲେ ଯେ ଷ୍ଟୁଡେଣ୍ଟ ମୋବିଲିଟିକୁ ପୁନରୁଦ୍ଧାର କରିବା ତାଙ୍କ ଦେଶର ପ୍ରାଥମିକତାରେ ରହିଛି । ଭିସା ପ୍ରକ୍ରିୟାକୁ ସରଳୀକରଣ କରିବା ଉପରେ କାର୍ଯ୍ୟ କରାଯିବା ଉପରେ ସେ ମତପ୍ରକାଶ କରିଥିଲେ ।

Comments are closed, but trackbacks and pingbacks are open.