ହିମାଳୟାନ୍ ୟାକ୍‌କୁ ‘ଫୁଡ୍ ଆନିମଲ୍‌’ ମାନ୍ୟତା

25

ଇଟାନଗର: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ହିମାଳୟାନ୍ ୟାକ୍ (ଚମରୀ ଗାଈ)କୁ ‘ଫୁଡ୍ ଆନିମଲ୍‌’ (ଖାଦ୍ୟ ପ୍ରାଣୀ)ର ମାନ୍ୟତା ପ୍ରଦାନ କରିଛି । ଏଫ୍‌ଏସ୍‌ଏସ୍‌ଏଆଇର ଏହି ମଞ୍ଜୁରୀ ପରେ ଦ୍ରୁତ ଭାବେ ହ୍ରାସ ପାଉଥିବା ଏହି ପ୍ରାଣୀଙ୍କ ଜନସଂଖ୍ୟାକୁ ରୋକାଯିବାରେ ସହାୟତା ମିଳିବ । ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଥିବା ଜାତୀୟ ଅନୁସନ୍ଧାନ କେନ୍ଦ୍ର (ଏନ୍‌ଆର୍‌ସି)ର ୟାକ୍ ନିର୍ଦ୍ଦେଶକ ଡ. ମିହରି ସରକାର କହିଛନ୍ତି, ଗତ କିଛିବର୍ଷରେ ଦେଶରେ ୟାକ୍‌ଙ୍କ ସଂଖ୍ୟା ବିପଜ୍ଜନକ ଭାବେ ହ୍ରାସ ପାଉଛି । ସୂଚନାଯୋଗ୍ୟ, ଅତ୍ୟଧିକ ଉଚ୍ଚତାରେ ବସବାସ କରୁଥିବା ହିମାଳୟାନ୍ ୟାକ୍‌ର ପ୍ରୟୋଗ ପାରମ୍ପରିକ ଭାବେ ଦୁଗ୍ଧ ଏବଂ ମାଂସ ପାଇଁ କରାଯାଇଥାଏ । ୟାକ୍‌କୁ ‘ଖାଦ୍ୟ ପ୍ରାଣୀ’ର ମାନ୍ୟତା ପ୍ରଦାନ ପାଇଁ ଜାତୀୟ ଅନୁସନ୍ଧାନ କେନ୍ଦ୍ର ୨୦୨୧ରେ ଏଫ୍‌ଏସ୍‌ଏସ୍‌ଏଆଇକୁ ପ୍ରସ୍ତାବ ଦେଇଥିଲା । ମାତ୍ର ପଶୁପାଳନ ଏବଂ ଡାଏରୀ ବିଭାଗର ସୁପାରିସ ପରେ ଏଫ୍‌ଏସ୍‌ଏସ୍‌ଏଆଇ ଆଧିକାରିକ ଭାବେ ଏହି ମାନ୍ୟତା ପ୍ରଦାନ କରିଛି । ସୂଚନାଯୋଗ୍ୟ, ମନୁଷ୍ୟ ଦ୍ୱାରା ଖାଦ୍ୟ ଉତ୍ପାଦନ କିମ୍ବା ସେବନ ପାଇଁ ପାଳନ କରାଯାଉଥିବା ପ୍ରାଣୀଙ୍କୁ ‘ଖାଦ୍ୟ ପ୍ରାଣୀ’ କୁହାଯାଇଥାଏ ।

Comments are closed, but trackbacks and pingbacks are open.