ବଡ଼ ନିଷ୍ପତ୍ତି ନେଲେ ପାକିସ୍ତାନ ସରକାର: ପିଟିଆଇ ଉପରେ ଲାଗିବ ନିଷେଧାଦେଶ

154

ଇସଲାମାବାଦ୍‌: ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ପାକିସ୍ତାନ-ତେହରିକ୍ ଏ-ଇନ୍‌ସାଫ୍ (ପିଟଆଇ) ଉପରେ ସବୁଦିନ ପାଇଁ ନିଷେଧାଦେଶ ଲାଗୁ କରାଯିବ । ପାକିସ୍ତାନ ସରକାରଙ୍କ ପକ୍ଷରୁ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇସାରିଛି । ପ୍ରଧାନମନ୍ତ୍ରୀ ଶାହାବାଜ୍ ଶରିଫ୍ ଓ ତାଙ୍କ ସରକାର ଏବେ ପିଟିଆଇକୁ ବ୍ୟାନ୍ କରିବା ନେଇ ଆଇନ୍‌ଗତ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ପାକିସ୍ତାନ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରୀ ଅତ୍ତୁଲ୍ଲାହ ତାରର ଆଜି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ପିଟିଆଇକୁ ଗତ ୧୯୯୬ ମସିହାରେ ଇମ୍ରାନ୍ ଖାନ୍ ପ୍ରତିଷ୍ଠା କରିଥିଲେ । ପାକ୍ ମନ୍ତ୍ରୀ ତାରର୍‌ଙ୍କ କହିବାନୁସାରେ ପିଟିଆଇ ବିରୋଧରେ ଅନେକ ମାମଲା ରହିଥିବା ବେଳେ ଦେଶବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆଧାରିତ ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ପାକିସ୍ତାନ ସରକାର । ଏଭଳି ଅଭିଯୋଗ ଉପରେ ତଦନ୍ତ କରାଯିବା ସମୟରେ ଅନେକ ବଳିଷ୍ଠ ପ୍ରମାଣ ମଧ୍ୟ ହସ୍ତଗତ ହୋଇଛି । ଶାହାବାଜ୍ ସରକାର ଏବେ ଏସବୁ ପ୍ରମାଣକୁ ପାକିସ୍ତାନ ସୁପ୍ରିମକୋର୍ଟରେ ଦାଖଲ କରିବା ସହ ପିଟିଆଇକୁ ଚିରକାଳ ପାଇଁ ବ୍ୟାନ୍ କରିବାକୁ ଆବେଦନ କରିବ । ପ୍ରକାଶ, ଦେଶ ବିରୋଧୀ କାର୍ଯ୍ୟକଳାପ ସାଙ୍ଗକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ମିଳିଥିବା ଉପହାରସବୁକୁ ସେ ବିକ୍ରି କରିଦେଇଥିବା ଅଭିଯୋଗରେ ଛନ୍ଦି ହୋଇ ଇମ୍ରାନ ଖାନ୍ ଏବେ ପାକିସ୍ତାନ ଜେଲରେ ଦିନ କାଟୁଛନ୍ତି । ଏପରିକି ପାକିସ୍ତାନରେ ଅନୁଷ୍ଠିତ ଶେଷ ନିର୍ବାଚନରେ ମଧ୍ୟ ଇମ୍ରାନ ଖାନ୍‌ଙ୍କୁ କିମ୍ବା ତାଙ୍କ ଦଳକୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଇନଥିଲା । ଏହାପରେ ଇମ୍ରାନଙ୍କ ସମର୍ଥକମାନେ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ସର୍ବାଧିକ ସଂଖ୍ୟକ ଆସନ ଜିତିବା ପରେ ମଧ୍ୟ ଇମ୍ରାନ ଖାନ୍ ପାକିସ୍ତାନରେ ସରକାର ଗଠନ କରିପାରିନଥିଲେ । ସୂଚନା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଇମ୍ରାନ ଖାନ ଏବଂ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆରିଫ ଅଲ୍‌ଭିଙ୍କ ବିରୋଧରେ ଧାରା ୬ ଅନୁଯାୟୀ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ମନ୍ତ୍ରୀ କହିଛନ୍ତି ପାକିସ୍ତାନ ଏବଂ ପିଟିଆଇ ଏକାଠି ରହିପାରିବେ ନାହିଁ । ପ୍ରକାଶ, ନିକଟରେ, ଏକ ଶୁଣାଣି ପ୍ରସଙ୍ଗରେ ପିଟିଆଇକୁ ଆତଙ୍କବାଦୀ ସଂଗଠନ ସହ କୋର୍ଟ ତୁଳନା କରିଛନ୍ତି । ପିଟିଆଇ ବିରୋଧରେ ବିଦେଶୀ ଫଣ୍ଡି ମାମଲା ରହିଥିବା ବେଳେ ମେ’୯ରେ ସଂଘଠିତ ଦଙ୍ଗା, ସାଇଫର ମାମଲା ଏବଂ ଆମେରିକାରେ ପାରିତ ହୋଇଥିବା ସଂକଳ୍ପ ରହିଛି । ମେ’ ୯ରେ ହୋଇଥିବା ଦଙ୍ଗାର ଶୁଣାଣି ବେଳେ ପାକିସ୍ତାନ କୋର୍ଟ କହିଥିଲେ ଇମ୍ରାନ ଖାନ ଓ ତାଙ୍କ ଦଳୀୟ କର୍ମକର୍ତ୍ତାଙ୍କ କାର୍ଯ୍ୟ ଆତଙ୍କବାଦୀଙ୍କ ଭଳି ।

Leave A Reply

Your email address will not be published.