ମହାପ୍ରଭୁଙ୍କ ଗଜଉଧାରଣ ବେଶ; ଆସନ୍ତୁ ଜାଣିବା ଏହି ବିଷୟରେ …

29

ପୁରୀ: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କୁ ଗଜଉଧାରଣ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ମଧ୍ୟାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ଗଜ ଉଦ୍ଧାରଣ ବେଶ କରାଯିବ । ବିଶ୍ୱାସ ରହିଛି ଯେ, ଗଜ ଉଦ୍ଧାରଣ ବେଶ ଦର୍ଶନ କରି ଭକ୍ତିର ସହିତ ଗଜେନ୍ଦ୍ର ସ୍ତୁତି ପାଠ କଲେ ଅପାର ପୁଣ୍ୟ ଲାଭ ହୁଏ ।

ଏହି ବେଶରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଠାକୁର ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଶ୍ରୀ ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ । ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।

ଏହି ବେଶ ଥାଇ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟାଧୂପ ନୀତି ହେବ। ଏହାପରେ ବେଶ ଓଲାଗି ହୋଇ ଅନ୍ୟାନ୍ୟ ନୀତି କରାଯିବ। ଗଜ ଉଦ୍ଧାରଣ ବେଶରେ ଠାକୁରଙ୍କୁ ଖିରି ଏବଂ ଅମାଲୁ ଭୋଗ ଲାଗିହୋଇଥାଏ ।

ପୌରାଣିକ ତଥ୍ୟ ଅନୁଯାୟୀ, ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର କୈଣସି ଉପାୟ ନଦେଖି ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ଗଜ ଟି ପ୍ରାର୍ଥନା କରିଥିଲା । ଗଜରାଜର ପ୍ରାର୍ଥନାରେ ସ୍ୱଂୟ ପୁରୁଷୋତ୍ତମ ତତ୍‌କ୍ଷଣାତ ଭକ୍ତ ଗଜଙ୍କୁ ଆକ୍ରମଣରୁ ରକ୍ଷାକରିବା ପାଇଁ ଚକ୍ରପେଷି କୁମ୍ଭୀରକୁ ମାରି ଉଦ୍ଧାର କରିଥିଲେ । ସେହି ପୌରାଣିକ ଆଖ୍ୟାୟିକାର ସ୍ମୃତିରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି ।

ଅନ୍ୟପଟେ, ଆଜି ଶ୍ରୀ ଲୋକନାଥଙ୍କର ମଧ୍ୟ ପଦ୍ମବେଶ କରାଯିବ । ସୋଲରେ ନିର୍ମିତ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀଲୋକନାଥ । କାହିଁ କେଉଁ ଅନାଦି କାଳରୁ ରଥସାହି ବାହ୍ମଣ ସମାଜ ପକ୍ଷରୁ ପଦ୍ମବେଶ କରାଯାଉଛି । ଶ୍ରୀଲୋକନାଥଙ୍କୁ ମଧ୍ୟ ଖିରୀ ଅମାଲୁ ଭୋଗ ଲଗାଯିବ ।

Comments are closed, but trackbacks and pingbacks are open.