ସବୁ ଶକ୍ତିର ଆଧାର ପିତା

151

ଆଜି ବିଶ୍ୱ ପିତୃ ଦିବସ। ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି। ମାଆ ଏବଂ ଶିଶୁ ସମ୍ପର୍କ ସବୁଠାରୁ ମୂଲ୍ୟବାନ ବୋଲି କୁହାଯାଏ କିନ୍ତୁ ପିତା ପିଲାମାନଙ୍କ ପାଇଁ ସୁରକ୍ଷା କବଚ ସଦୃଶ୍ୟ। ହାତ ଧରି ଯିଏ ଚାଲିବା ଶିଖାଏ, ମୁଣ୍ଡଝାଳ ତୁଣ୍ଡରେ ମାରି ଯିଏ ପିଲାର ଭବିଷ୍ୟତ ପାଇଁ ଚିନ୍ତାକରେ ଆଉ ଯାହାକୁ ପାଖରେ ପାଇଲେ ସାହସ ବଢେ ସିଏ ଆମର ବାପା। ବାପା ପରିବାର ପାଇଁ ଛାତଟିଏ।

ପରିବାରର ଆରାମଦାୟକ ଜୀବନଯାପନ, ପିଲାଙ୍କ ସ୍ୱପ୍ନକୁ ସାକାର କରିବା, ସେମାନଙ୍କୁ ଭଲ ବିଦ୍ୟାଳୟକୁ ପଠାଇବା ଏବଂ ଭଲ ଶିକ୍ଷା ଦେବା ପାଇଁ ପିତାମାନେ ବହୁତ କିଛି କରନ୍ତି। ସେଇ ବାପାଙ୍କ ଉପରେ ସଂସାର ନିର୍ଭର। ଅଭିଭାବକଙ୍କ ମହିମା ବଖାଣିବାରେ ମା’ଙ୍କ ସ୍ଥାନ ପ୍ରଥମେ ନିଆ ଯାଉଥିବା ବେଳେ ବାପାଙ୍କ ନାମ ପଛରେ ରହିଯାଉଛି । କିନ୍ତୁ ଏଥିରେ ବାପାଙ୍କ ତିଳେମାତ୍ର କ୍ଷୋଭ ନଥାଏ। ପିତାଙ୍କ ବଳିଦାନର ଋଣ କେହି ବି ଶୁଝି ପାରିବେନି କିନ୍ତୁ ପିତାଙ୍କୁ ସମ୍ମାନର ଉପହାର ତ ଦେଇପାରିବେ। ଆଜି ଦୁନିଆର ସବୁ ପିତାଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ।

ସନ୍ତାନ ଏବଂ ପିତା ପରସ୍ପର ସହିତ ଜଡିତ, କିନ୍ତୁ ପ୍ରାୟତଃ ଉଭୟ ନିଜ ଭାବନାକୁ ଖୋଲାଖୋଲି ଭାବରେ ପ୍ରକାଶ କରିବାକୁ ସକ୍ଷମ ନୁହଁନ୍ତି। ପିତାଙ୍କ ସାମ୍ନାରେ ଆମର ଭାବନା ପ୍ରକାଶ କରିବା, ତାଙ୍କ ଅବଦାନ ପାଇଁ କୃତଜ୍ଞତା ଜଣାଇବା ପାଇଁ ପ୍ରତିବର୍ଷ ଜୁନ୍ ତୃତୀୟ ରବିବାରରେ ପିତାଙ୍କ ଦିବସ ପାଳନ କରାଯାଏ। ପିତୃ ଦିବସକୁ ବାପାଙ୍କ ପାଇଁ ସ୍ମରଣୀୟ କରିବା ପାଇଁ ଆପଣ କିଛି ସ୍ପେସିଆଲ କରନ୍ତୁ, ପିତାଙ୍କ ସହ ଅତି ସୁନ୍ଦର ଭାବେ ଦିନ ବିତାନ୍ତୁ। ଆଜି ବାପାଙ୍କ ବିଶେଷ ଦିନ, ତେଣୁ ଏହି ଦିନକୁ ଉତ୍ସବ ପରି ପାଳନ କରନ୍ତୁ। ପିତୃ ଦିବସରେ ପିଲାମାନେ ଏକ ପାର୍ଟିର ଆୟୋଜନ କରିପାରିବେ। ଆପଣ ପିତାଙ୍କ ପାଇଁ ଏକ ସରପ୍ରାଇଜ ପାର୍ଟି ଯୋଜନା କରିପାରିବେ। ପାର୍ଟିରେ ବାପାଙ୍କ ସାଙ୍ଗ, ସହକର୍ମୀ କିମ୍ବା ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରିପାରିବେ। ଏହା ଦେଖି ବାପା ବହୁତ ଖୁସି ଅନୁଭବ କରିବେ।

ସେହିପରି ପିଲାମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ବାପା ଅଫିସରେ ଦୀର୍ଘ ଘଣ୍ଟା ବିତାନ୍ତି। ବୁଲିବା ଏବଂ ମଜା କରି ପାରନ୍ତି ନାହିଁ। କିନ୍ତୁ ପିତୃ ଦିବସ ଅବସରରେ, ଆପଣ ତାଙ୍କୁ ଯେକୌଣସି ତାଙ୍କର ମନପସନ୍ଦର ସ୍ଥାନକୁ ନେଇପାରନ୍ତି। କିଛି ଦିନ ପାଇଁ ଯାତ୍ରା ଯୋଜନା କରି ବାପାଙ୍କ ସହ ସମୟ ବିତାନ୍ତୁ। ପିତାଙ୍କ ପାଇଁ ଏହା ଏକ ବିଶେଷ ଦିନ, ତେଣୁ ଏକ ବିଶେଷ ଉପହାର ଦେଇ ପାରିବା। ପିତାଙ୍କୁ ଉପହାର ଦେଇ ପିତୃ ଦିବସ ପାଳନ କରନ୍ତୁ। ଉପହାର ମହଙ୍ଗା ହୋଇନପାରେ କିନ୍ତୁ ଏହା ହୃଦୟସ୍ପର୍ଶୀ ହେବା ଉଚିତ୍।

ପିଲାଦିନେ ବାପା ହାତ ଧରି ପିଲାଟି ବୁଲିବାକୁ ଯାଉଥିଲା। କେତେବେଳେ ପାର୍କରେ ବୁଲିବା ପାଇଁ ତ କେତେବେଳେ ସପିଂ ପାଇଁ ଆଉ କେତେବେଳେ ପିକନିକ କରିବା ପାଇଁ। ଆପଣ ସେହି ପିଲାଦିନର ସ୍ମୃତିକୁ ପୁଣି ତାଜା କରନ୍ତୁ ଏବଂ ବାପାଙ୍କୁ ନେଇ ପିକନିକ୍ କରନ୍ତୁ। ଏହି ଅବସରରେ ଆପଣ ନିଜ ବାପାଙ୍କ ସହ ପୁରୁଣା ସ୍ମୃତିକୁ ମନେ ପକାଇ ଦିନଟିକୁ ଆନ୍ଦନରେ ପରିପୂର୍ଣ୍ଣ କରିଦିଅନ୍ତୁ। ଏଥିରେ ବାପା ବହୁତ ଖୁସି ଅନୁଭବ କରିବେ। ବାପାଙ୍କ ପାଇଁ ଯେତେ ଯାହା କଲେ ସୁଦ୍ଧା ତାହା କମ ପଡିଯିବ। ବାପାଙ୍କ ପାଇଁ ଯେତେ ବର୍ଣ୍ଣନା କଲେ ତାହା କମ। ତାଙ୍କ ତ୍ୟାଗକୁ ଲେଖି ହେଉନଥିବା ଦୁଇଟି ଅସୀମ ଅକ୍ଷର ବାପା। ତେଣୁ ବିଶ୍ୱ ପିତୃ ଦିବସରେ ବାପାଙ୍କୁ କୋଟି କୋଟି ପ୍ରଣାମ।

Comments are closed, but trackbacks and pingbacks are open.