ଟେକ୍ନୋଲୋଜି ଜୀବନଶୈଳୀକୁ ସୁଗମ କରିବା ପାଇଁ ଓଡ଼ିଶାର ଦୁଇ ଭଉଣୀଙ୍କ ପ୍ରଚେଷ୍ଟା ଗର୍ବର ବିଷୟ- ଧର୍ମେନ୍ଦ୍ର ପ୍ରଧାନ

236

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୧୦ –  ଯୁବବର୍ଗଙ୍କ ପ୍ରତିଭାକୁ ନେଇ ଭାରତ ଆଗାମୀ ଭବିଷ୍ୟତର ସମ୍ଭାବନା ଓ ଆହ୍ୱାନକୁ ସାମ୍ନା କରିବାର ସାମର୍ଥ୍ୟ ରଖିଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଏନରିଚ୍ -୨୦୨୩ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେପିଏମଜି ଇଣ୍ଡିଆ ଚଳିତବର୍ଷ ନବ ସୃଜନ, ଦକ୍ଷତା ଏବଂ ଉଦ୍ୟମିତା ଉପରେ ପ୍ରାଥମିକତା ଦେବା ଖୁସିର ବିଷୟ । ଆମ ଯୁବବର୍ଗଙ୍କ ମଧ୍ୟରେ ଥିବା ପ୍ରତିଭା ଯୋଗୁଁ ଭାରତ ଆଗାମୀ ଭବିଷ୍ୟତର ସମ୍ଭାବନା ଓ ଆହ୍ୱାନକୁ ସାମ୍ନା କରିବାର ସାମର୍ଥ୍ୟ ରଖୁଛି ।  ଯୁବବର୍ଗଙ୍କୁ ଏକବିଂଶ ଶତାବ୍ଦୀର ଦକ୍ଷତା ପ୍ରଦାନ କରି ଭାରତକୁ ବୈଶ୍ୱିକ ନବ ସୃଜନ, ଉଦ୍ୟମିତା, କୌଶଳ ଓ ରୋଜଗାରର ପେଣ୍ଠସ୍ଥଳୀ ଭାବରେ ରୂପାନ୍ତରଣ କରି ଏକ ବିକଶିତ ଦେଶ ଗଢିପାରିବା ।  

ଏହି ଅବସରରେ ଶ୍ରୀ ପ୍ରଧାନ ଆୟୋଜିତ ଷ୍ଟାର୍ଟଅପ୍ ପ୍ରଦର୍ଶନୀରେ ଅନେକ ଯୁବପିଢିଙ୍କ ଠାରୁ ନୂତନ ଷ୍ଟାର୍ଟଅପ୍ ବିଷୟରେ ଅବଗତ ହୋଇଥିଲେ । ଓଡ଼ିଶାର ଦୁଇ ଭଉଣୀ ତଥା ନେକ୍ସସ୍ ପାୱାର ଷ୍ଟାର୍ଟଅପର ସିଇଓ ଏବଂ ସହ-ପ୍ରତିଷ୍ଠାତା ନିଶିତା ଓ ନିକିତା ବଳିୟାର ସିଂଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଶ୍ରୀ ପ୍ରଧାନ କହିଥିଲେ ଯେ ସବୁଜ ଇନ୍ଧନ ତଥା ସ୍ୱଚ୍ଛ ଉର୍ଜା ଭଳି କ୍ଷେତ୍ରରେ ଏହି ଦୁଇ ଭଉଣୀ ଆରମ୍ଭ କରିଥିବା ଷ୍ଟାର୍ଟଅପ୍ ଆମ ଓଡ଼ିଶାର ଉଦ୍ୟୋଗୀ ମନୋଭାବ ଓ ପ୍ରତିଭାକୁ ଦର୍ଶାଉଛି । ଲୋକଙ୍କ ଜୀବନଶୈଳୀକୁ ସୁଗମ କରିବା ତଥା ପରିବେଶକୁ ସ୍ୱଚ୍ଛ ରଖିବା ସହ ଅଙ୍ଗାରକାମ୍ଳକୁ ହ୍ରାସ କରିବା ପାଇଁ ଟେକ୍ନୋଲୋଜି ମାଧ୍ୟମରେ ସମାଧାନର ସୂତ୍ର ବାହାର କରିବା ଦିଗରେ ଉଭୟଙ୍କ ପ୍ରଚେଷ୍ଟା ଆମ ପାଇଁ ଗର୍ବର ବିଷୟ ।

Comments are closed, but trackbacks and pingbacks are open.