ବ୍ରିଟେନ ମହାରାଣୀଙ୍କ ମୃତ୍ୟୁର ପ୍ରଭାବ, ରାଜକୀୟ ସ୍ୱୀକୃତି ହରାଇବେ ୬୦୦ ବ୍ରାଣ୍ଡ୍‌

23

ଲଣ୍ଡନ: ଚଳିତମାସ ୮ରେ ବ୍ରିଟିଶ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି । ଏହା ବ୍ରିଟେନ ସମେତ ସବୁ କମନ୍‌ୱେଲଥ୍ ରାଷ୍ଟ୍ରଙ୍କୁ ଶୋକସାଗରରେ ଭସାଇ ଦେଇଛି । ତେବେ ମହାରାଣୀଙ୍କ ମୃତ୍ୟୁର ପ୍ରଭାବ ୬୦୦ଟି ବ୍ରାଣ୍ଡ୍ ଉପରେ ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅର୍ଥାତ୍ ମହାରାଣୀଙ୍କ ମୃତ୍ୟୁପରେ ଏହି ୬୦୦ ବ୍ରାଣ୍ଡ୍ ରାଜକୀୟ ସ୍ୱୀକୃତି ହରାଇବାକୁ ଯାଉଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ମହାରାଣୀ ବ୍ୟବହାର କରୁଥିବା ସାମଗ୍ରୀଗୁଡିକୁ ହିଁ ରାଜକୀୟ ସ୍ୱୀକୃତି ମିଳୁଥିଲା । ଏଭଳି ସାମଗ୍ରୀ ମଧ୍ୟରେ କାର୍ଡବରୀ ଚୋକୋଲେଟ୍‌, ଫୋର୍ଟନମ୍ ଆଣ୍ଡ୍ ମାସନ୍ ଚାହା, ଡୁବନ୍‌ନେଟ୍ ମଦ, ମମ୍ ସାମ୍ପେନ୍‌, ହିଞ୍ଜ୍ କେଚପ୍‌, କେଲଗ୍ ସିରିଏଲସ୍‌, ବାର୍ବୋର ଜ୍ୟାକେଟ୍‌, ବର୍ବେରି ରେନ୍‌କୋଟ୍‌, କେତେକ ଭେରାଇଟିର କୁକୁର ଖାଦ୍ୟ ଏବଂ ଝାଡୁ ଅନ୍ତର୍ଭୁକ୍ତ । ମହାରାଣୀ ବ୍ୟବହାର କରୁଥିବାରୁ ଏହି କମ୍ପାନୀଗୁଡିକର ବିଶେଷ ଖ୍ୟାତି ରହିଥିଲା ଏବଂ ସାଧାରଣ ଲୋକେ ମଧ୍ୟ ଏଥିପ୍ରତି ଆକୃଷ୍ଟ ହେଉଥିଲେ । ମହାରାଣୀଙ୍କ ନିଧନ ପରେ ବର୍ତ୍ତମାନ ତାଙ୍କର ଜ୍ୟେଷ୍ଠ ପୁତ୍ର ଚାର୍ଲସ ତୃତୀୟ ବ୍ରିଟିଶ ସିଂହାସନ ଆରୋହଣ କରିଛନ୍ତି । ଯଦି ଏହି କମ୍ପାନୀଗୁଡିକୁ ଚାର୍ଲସ ସ୍ୱୀକୃତି ନ ଦିଅନ୍ତି, ତେବେ ସେମାନଙ୍କର ମାର୍କେଟ ଚାହିଦା ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି । ଅବଶ୍ୟ ନିଜସ୍ୱ ସାମଗ୍ରୀ ଉପରୁ ରାଜକୀୟ ଛାପ (ରୟାଲ ସିଲ୍‌) ହଟାଇବାକୁ ଏହି କମ୍ପାନୀଗୁଡିକୁ ଦୁଇବର୍ଷ ସମୟ ମିଳିବ । ଅର୍ଥାତ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସେମାନେ ରୟାଲ ସିଲ୍ ବ୍ୟବହାର କରିପାରିବାର ନିୟମ ରହିଛି । ମହାରାଜା ଘୋଷିତ ହେବାପୂର୍ବରୁ (ପ୍ରିନ୍ସ) ଚାର୍ଲସଙ୍କୁ ଯୁବରାଜ ଉପାଧି ମିଳିଥିଲା । ସେତେବେଳେ ପ୍ରିନ୍ସ ଚାର୍ଲସ ୧୫୦ଟି ବ୍ରାଣ୍ଡ୍‌କୁ ରାଜକୀୟ ସ୍ୱୀକୃତି ଦେଇଥିଲେ । ବର୍ତ୍ତମାନ ମହାରାଜା ହେବାପରେ ଚାର୍ଲସ କେତେ ସଂଖ୍ୟକ କମ୍ପାନୀକୁ ରାଜକୀୟ ସ୍ୱୀକୃତି ଦେବେ, ତାହା ଆଗାମୀ ସମୟ ହିଁ କହିବ ।

Comments are closed, but trackbacks and pingbacks are open.