ପରିଧାନ ବଦଳିଲା କିନ୍ତୁ ତ୍ରୁଟି ସୁଧୁରିଲାନି

31

ରାଜ୍ୟରେ ଏବେ ଗୋଟିଏ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ବରପୁତ୍ରଙ୍କୁ ଅସମ୍ମାନ । ଅନୁଗୁଳ ଜିଲ୍ଲା ପୌରପରିଷଦ ଓଡିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସମାଜସେବୀ, ଗାନ୍ଧୀବାଦି ନେତା ସ୍ୱାଧୀନତା ସଂଗ୍ରାମୀ, ନବଉତ୍କଳର ନିର୍ମାତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲା । ପ୍ରତିଷ୍ଠା କରାଯାଇଥିବା ଏହି ପ୍ରତିମୂର୍ତ୍ତିର ରୂପରେଖ ବୌଦ୍ଧିକ ବିକାଶ ଉପଯୁକ୍ତ ହୋଇନଥିଲା । ନବକୃଷ୍ଣ କେବେ ଜୀବଦଶାରେ କୋର୍ଟ ପ୍ୟାଣ୍ଟ ଓ ନେକ୍ ଟାଇ ପିନ୍ଧିନଥିବା ବେଳେ ଅନୁଗୁଳ ପୌରପରିଷଦ ତାଙ୍କୁ ସେହି ରୂପରେ ଠିଆ କରାଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଲା । ସର୍ବଦ୍ୱୟ ଗାନ୍ଧୀବାଦି ନେତା ଓ ପୂଜ୍ୟପୂଜା କରୁଥିବା ଅନୁଷ୍ଠାନଗୁଡିକ ଏନେଇ ଆପତି ଉଠାଇଲେ । ଅବଶ୍ୟ ଅନୁଗୁଳୁ ପୌରପରିଷଦ କର୍ତ୍ତୃପକ୍ଷ ଏଥିରେ ରହିଥିବା ତ୍ରୁଟିବିଚ୍ୟୁତି ସ୍ୱୀକାର କରି ଏହାର ସଂଶୋଧନ ପାଇଁ ଉଦ୍ୟମ କଲା ।

ତେବେ ଏଭଳି ପରିସ୍ଥିତିରେ ଆଶା କରାଯାଉଥିବା ଅନୁଗୁଳ ପୌରପରିଷଦ କର୍ତ୍ତୃପକ୍ଷ ନବକୃଷ୍ଣ ତାଙ୍କ ଜୀବଦଶାରେ ପରିଧାନ କରୁଥିବା ପୋଷାକ ପରିଚ୍ଛଦ ଉପରେ ଅନୁଶୀଳନ କରିଥିବ । ମାତ୍ର ତାହା ମଧ୍ୟ ତ୍ରୁଟି ସଂଶୋଧନ ବେଳେ ହୋଇନଥିଲା । ତ୍ରୁଟି ସଂଶୋଧନ ପରେ ଦ୍ୱିତୀୟଥର ପାଇଁ ପୌରପରିଷଦ ଯେଉଁ ପ୍ରତିମୂର୍ତ୍ତି ପୁଣି ସାଧାରଣରେ ପରିପ୍ରକାଶ କରାଇଲେ ସେଥିରେ ମଧ୍ୟ ଗୁରୁଚଣ୍ଡାଳ ଦୋଷ ରହିଯାଇଥିଲା । ଯେଉଁ ଢଙ୍ଗରେ ନବକୃଷ୍ଣ ଧୋତି ପରିଧାନ କରୁଥିଲେ ଦ୍ୱିତୀୟ ଥର ସେହିଭଳି ପ୍ରତିକୃତୀ ନିର୍ମାଣ କରାଯାଇ ନଥିଲା ।

ପ୍ରତିମୂର୍ତ୍ତିର ଏପରି ପରିଧାନକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବା ପରେ ସୋମବାର ଅନୁଗୁଳ ପୌର ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ଏକ ଚିଠିରେ ପୌର ପରିଷଦ ପକ୍ଷରୁ କୁହାଯାଇଥିଲା ଯେ, ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଆବକ୍ଷ ପ୍ରତିଛବି ସଂଗ୍ରହ କରାଯାଇଥିଲା । କିନ୍ତୁ ଏଥିରେ ସେମାନଙ୍କ ପରିଧାନର ସୂଚନା ନଥିଲା । ଏପରିକି ସ୍ଥାନୀୟ ବୁଦ୍ଧିଜୀବୀ ବି କୁଆଡେ ପରିଧାନ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇପାରି ନଥିଲେ ବୋଲି ଚିଠିରେ ଉଲ୍ଲେଖ ରହିଛି । ପରେ ଏ ବିଷୟରେ ସୂଚନା ମିଳିବାରୁ ପୌର ପରିଷଦ ତରଫରୁ ତ୍ରୁଟି ସଂଶୋଧନ କରାଯାଉଛି ଓ ଏହା ଏକ ଅନିଚ୍ଛାକୃତ ତ୍ରୁଟି ବୋଲି ସଫେଇ ଦେଇଛନ୍ତି ଅନୁଗୋଳ ପୌରାଧ୍ୟକ୍ଷ। ଭବିଷ୍ୟତରେ ଏପ୍ରକାର ଭୁଲର ପୁନରାବୃତ୍ତି ହେବନି ବୋଲି ଚିଠିରେ କୁହାଯାଇଛି।

ଏହା ପରେ ପ୍ରତିମୂର୍ତ୍ତିର ପରିଧାନକୁ ବଦଳା ଯାଇଥିଲେ ହେଁ ତାହା ମଧ୍ୟ ତ୍ରୁଟିପୂର୍ଣ୍ଣ ଥିଲା । ଏପରି ଧୋତି ପିନ୍ଧାକୁ ଦେଖି ପ୍ରଶାସନ ଉଦ୍ଦେଶ୍ୟମୂଳକ ଭାବେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀଙ୍କୁ ଜାଣି ଜାଣି ବଦାନମ କରୁଛି ବୋଲି ଅଭିଯୋଗ ଆସିଛି ।

Comments are closed, but trackbacks and pingbacks are open.