ଡିଏଫଓ ଙ୍କୁ କ୍ରାଇମବ୍ରାଞ୍ଚ ର ଜେରା

32

ପାରଳାଖେମୁଣ୍ଡି ପୋଲିସ ଦ୍ୱାରା କ୍ଲିନ୍ ଚିଟ୍ ପାଇଥିବା ଡିଏଫଓଙ୍କ ଠାରୁ କଥା ଓଗାଳୁଛି କ୍ରାଇମବ୍ରାଞ୍ଚ । ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ୩ ଘଣ୍ଟା ଜେରା କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ସୌମ୍ୟ ମୃତ୍ୟୁର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେବାପରେ ଅନେକ ଗୁମର ଫିଟୁଥିବାରୁ ଡିଏଫଓ ଙ୍କ ଠାରୁ କଣ ବାହାରୁଛି ଶୁଣିବାକୁ ବାକି ରହିଲା ଏପରିକି ଦରକାର ପଡିଲେ ଡିଏଫଓଙ୍କ ଲାଏ ଡିଟେକ୍ସନ କରାଯିବ ବୋଲି ଡିଏସପି କହିଛନ୍ତି ।

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କ ବିରୋଧରେ ଆସିଥିଲା ସଙ୍ଗୀନ ଅଭିଯୋଗ ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କ ସମ୍ପର୍କ ନେଇ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର । ଏପରିକି ଡିଏଫଓ ତଦନ୍ତକୁ ପ୍ରଭାବିତ କରୁଥିବା ଅଭିଯୋଗ ଆସିଥିଲା । ତଦନ୍ତ ବେଳେ ଡିଏଫଓଙ୍କ ସଂପର୍କରେ ଡାକ୍ତର ମୁହଁ ଖୋଲିନଥିଲେ । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ଡିଏଫଓ ନଥିଲେ ବୋଲି କହିଥିଲେ । କିନ୍ତୁ ଭାଇରାଲ୍ ଭିଡିଓରେ ଡାକ୍ତର ଓ ତହସିଲଦାରଙ୍କ ସହ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ସମୟରେ ଡିଏଫଓ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ଏହା ଡିଏଫଓଙ୍କ ବିରୋଧରେ ଠୋସ୍ ପ୍ରମାଣ ହୋଇପାରେ । ଏପଟେ ଜେରା ପରେ ଡିଏଫଓଙ୍କ ବ୍ୟବହାର ତାଙ୍କୁ ଆହୁରି ଜଟିଳ ଚରିତ୍ର କରିଦେଇଛି ।

ଡିଏଫଓଙ୍କ ମନ୍ତବ୍ୟ ଓ ଆଚରଣ ଗଣମାଧ୍ୟମରେ ପ୍ରସାରଣ ପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ମୃତ ଏସିଏଫ୍ ସୌମ୍ୟଙ୍କ ବାପା । ସେ କହିଛନ୍ତି ଡିଏଫଓ ବୟାନ ବଦଳାଉଛନ୍ତି, ମିଛ କହୁଛନ୍ତି । ଏପରିକି ଡିଏଫଓଙ୍କ ବିରୋଧରେ ସେ ପ୍ରମାଣ ନଷ୍ଟ ଏବଂ ତଦନ୍ତଙ୍କୁ ପ୍ରଭାବିତ କରୁଥିବାର ଅଭିଯୋଗ ଆଣିଛନ୍ତି । କାହିଁକି ଡିଏଫଓ ଘଟଣା ଦିନ ଡାକ୍ତରଖାନା ଯାଇଥିଲେ ? ଡାକ୍ତରଙ୍କୁ କଣ କହୁଥିଲେ ? ଏହାସହ ମମତା ପଣ୍ଡାଙ୍କୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ପାରଳାଖେମୁଣ୍ଡି ପୋଲିସର ଭୂମିକା ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ।

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ଗୁମର ଫିଟୁଛି । କାଠଗଡାରେ ଛିଡାହେଲେଣି ପୋଲିସ ଓ ଅଫିସର । ଏପରି କି ତହସିଲଦାର ଏବଂ କଲେକ୍ଟୋରଙ୍କୁ ମଧ୍ୟ ଆବଶ୍ୟକ ପୋଡିଲେ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଥିଲେ I ବଡିଆଙ୍କ ସଂପୃକ୍ତି ଯୋଗୁଁ ତଦନ୍ତ ପ୍ରଭାବିତ ହେବା ଡର ଥିଲେ ବି ତଦନ୍ତର ଧାରାରୁ କ୍ରାଇମବ୍ରାଞ୍ଚ ପ୍ରତି ଭରସା ବଢୁଛି । ଦେଖାଯାଉ ଏବେ କ୍ରାଇମବ୍ରାଞ୍ଚ ଘଟଣା ର ସତ୍ୟତା କେବେ ପଦାକୁ ଆଣି ପାରୁଛି I

Leave A Reply

Your email address will not be published.