ରୋଲରରେ ଚାପିହୋଇ ତିନି ଶ୍ରମିକଙ୍କ ମୃତ୍ୟୁ ଘଟଣା, ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

77

ଭୁବନେଶ୍ବର: କାମାକ୍ଷାନଗର ରେକୁଳାରେ ସଡ଼କ ଦୁର୍ଘଟଣାରେ ତିନି ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କାମାକ୍ଷାନଗର ବିଧାୟକ, ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ୩୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।  ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଥିବା କ୍ଷୀରୋଦ ସାହୁଙ୍କ ପରିବାର ଜଣଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଇଛନ୍ତି ।  କ୍ଷତିପୂରଣ ମିଳିବା ପରେ ରାସ୍ତାରୋକ ହଟିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର – ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ରାସ୍ତାରେ ପିଚୁକାମ କରାଯାଉଥିଲା  । ଏହି ସମୟରେ ତିନି ଜଣ ଶ୍ରମିକଙ୍କୁ ଧକ୍କା ଦେଇଥିଲା ଡମ୍ପର । ଫଳରେ ଶ୍ରମିକମାନେ ଡମ୍ଫର ସହ ଧକ୍କା ହୋଇ ନିକଟରେ ଥିବା ରୋଲର ମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ ।  ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।   ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଏହାପରେ ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି କ୍ଷତିପୂରଣ ଦେବା ପରେ ରାସ୍ତାରୋକ ହଟିଥିଲା । ୫ ଘଣ୍ଟା ପରେ ସ୍ବାଭାବିକ ହୋଇଥିଲା ଯାତାୟାତ ।

Comments are closed, but trackbacks and pingbacks are open.