ନୂଆ ମନ୍ତ୍ରୀମଣ୍ଡଳ ରୁ ବାଦ ପଡିଲେ ବିବାଦୀୟ ନେତା

31

ପଞ୍ଚମ ପାଳିର ୩ ବର୍ଷ ପୂରଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ଅଦଳବଦଳ କରି ସାମସ୍ତଙ୍କୁ ଚକିତ କରିଛନ୍ତି । ନୂଆ ମନ୍ତ୍ରୀ ମଣ୍ଡଳରେ ୯ ପୁରୁଣା ମନ୍ତ୍ରୀଙ୍କୁ ସ୍ଥାନ ମିଳିଥିବା ବେଳେ ୫ ପୁର୍ବତ୍ତନ ମନ୍ତ୍ରୀ ଏବଂ ୫ ନୂଆ ମୁହଁଙ୍କୁ ନେଇ ନବୀନ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରୁ ବିବାଦୀୟ ମନ୍ତ୍ରୀଙ୍କୁ ସ୍ଥାନ ମିଳି ନାହିଁ I

ବରିଷ୍ଠ ମନ୍ତ୍ରୀ ଅରୁଣ କୁମାର ସାହୁ, ପ୍ରତାପ ଜେନା ଏବଂ ଦିବ୍ୟଶଙ୍କର ମିଶ୍ର,ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସୁଶାନ୍ତ ସିଂ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଛନ୍ତି । ଏହି ନେତା ମାନେ ଭିନ୍ନଭିନ୍ନ ପ୍ରସଙ୍ଗକୁ ନେଇ କିଛିଦିନ ତଳେ ବିବାଦରେ ରହିଥିଲେ। ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ପ୍ରତାପ, ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ଅରୁଣ ଏବଂ ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ବିବାଦୀୟ ହୋଇଥିଲେ।

କଳାହାଣ୍ଡି ମମିତା ମେହେର ମୃତ୍ୟୁ ମାମଲାରେ ଦିବ୍ୟଶଙ୍କର ମିଶ୍ର ବିବାଦ ଘେରକୁ ଆସିଥିଲେ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ତାଙ୍କର ଘନିଷ୍ଠତାକୁ ନେଇ ଓଡିଶା ରାଜନୀତିରେ ଝଡ ଦେଖାଦେଇଥିଲା । ସେପଟେ ମାହାଙ୍ଗ ଡବଲ ମର୍ଡର ଘଟଣାରେ ବିବାଦୀୟ ହୋଇପଡିଥିଲେ ପ୍ରତାପ ଜେନା । କୁଳମଣି ବରାଳ ହତ୍ୟାକାଣ୍ଡରେ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଏହାକୁ ନେଇ ବଡ ଧରଣର ବିବାଦ ସୃଷ୍ଟି ହୋଇଥିଲା ।

ଅନ୍ୟ ପଟେ ନୟାଗଡର ପରୀ ମୃତ୍ୟୁ ମାମଲାରେ ଅରୁଣ ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବିରୋଧୀ । ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲେ ମଧ୍ୟ ପରବର୍ତୀ ସମୟରେ ପ୍ରକୃତ ହତ୍ୟାକାରୀ ଧରାପଡିଥିଲା ଏବଂ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗର କୌଣସି ପ୍ରମାଣ ମିଳିନଥିଲା । ଅବଶ୍ୟ କୌଣସି ଅଭିଯୋଗରେ ସିଧାପ୍ରମାଣ ମିଳିନଥିଲେ ମଧ୍ୟ ରାଜନୈତିକ ବିବାଦ ଛାଇ ରହିଥିଲା । ସରକାର ଏହି ବିବାଦକୁ ନେଇ କୌଣସି ପଦକ୍ଷେପ ନେଇନଥିଲେ । ସେହି ବିବାଦର ପ୍ରତିଫଳନ ଏବେ ଦେଖିବାକୁ ମିଳୁଛି ବୋଲି ଚର୍ଚ୍ଚା ହେଉଛି ।

ମାହାଙ୍ଗା ଡବଲ ମର୍ଡର, ପରୀ ମୃତ୍ୟୁ ଓ ମମିତା ମେହେର ମୃତ୍ୟୁ ପ୍ରସଙ୍ଗ ପଞ୍ଚାୟତ ଓ ପୌର ନିର୍ବାଚନରେ କୌଣସି ପ୍ରଭାବ ପକାଇନଥିଲା । ତା ସତ୍ୱେ ଏହି ପ୍ରସଙ୍ଗ ଏବେ ବି ଲୋକଙ୍କ ମନରୁ ଲିଭିନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାହାଙ୍ଗା ଯାଇ ଏହି ପ୍ରସଙ୍ଗକୁ ଉଠାଇଥିଲେ । ତେଣୁ ଆଗକୁ ଯେଉଁଭଳି ଏହି ପ୍ରସଙ୍ଗ ନ ଉଠିବ ତାକୁ ଦୃଷ୍ଟିରେ ରଖି ବୋଧହୁଏ ନବୀନ ପଟ୍ଟନାୟକ କୌଣସି ରିସ୍କ ନେବାକୁ ଚାହିଁନାହାନ୍ତି । ମନ୍ତ୍ରୀମଣ୍ଡଳରୁ ବାଦ ପଡଥିବା ଆଉ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୁଶାନ୍ତି ସିଂ । କୌଣସ ବିବାଦ ପାଇଁ ନୁହେଁ ବରଂ ପଶ୍ଚିମ ଓଡିଶାରେ ସଙ୍ଗଠନ ଦାୟିତ୍ୱ ଦେବା ପାଇଁ ସୁଶାନ୍ତଙ୍କୁ ବାଦ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି ।

Comments are closed, but trackbacks and pingbacks are open.