ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗର ଆଲୋକ ସଜ୍ଜାରେ ଝଲସୁଛି କଟକ ସହର

102

ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ପାଇଁ ଏବେ କଟକ ସହର ମୁଖରିତ । ସୁଉଚ୍ଚ ତୋରଣ ସହିତ ରଙ୍ଗବେରଙ୍ଗର ଆଲୋକସଜ୍ଜାରେ ରୌପ୍ୟନଗରୀ ଝଲସୁଛି । କରୋନା କଟକଣା ପାଇଁ ଗତ ଦୁଇବର୍ଷ ହେଲା ପାର୍ବଣ ପାଣିଚିଆ ହୋଇଯାଇଥିଲାବେଳେ ଏଥର ବେଶ୍ ଆଗ୍ରହ ସହକାରେ ପୂଜା କମିଟିଗୁଡ଼ିକ ଦଶହରା ପାଳନ କରୁଛନ୍ତି । କଟକ ଦଶହରା କହିଲେ ବିଶାଳ ତୋରଣ, ରଙ୍ଗୀନ ଆଲୋକମାଳା ଏବଂ ସନ୍ଧ୍ୟାରେ ମେଲାଡି କାର୍ଯ୍ୟକ୍ରମ ସହିତ ବିଶାଳ ଭସାଣି ଶୋଭାଯାତ୍ରାକୁ ବୁଝାଇଥାଏ ।
ଚଳିତ ବର୍ଷ କେତେକ ପୂଜା କମିଟି ସୁଉଚ୍ଚ ତୋରଣ କରି ତାଙ୍କର ପୂର୍ବ ଧାରାକୁ ବଜାୟ ରଖିଛନ୍ତି । ଏଥର କଟକ ସହରରେ ୩ଟି ବିଶାଳ ତୋରଣ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି । ବାଦାମବାଡ଼ି-ଶଙ୍କରପୁର ପୂଜା କମିଟି, ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଏବଂ ନୂଆପଡ଼ା ପୂଜା କମିଟି ପକ୍ଷରୁ ନିର୍ମିତ ଏହି ତୋରଣଗୁଡ଼ିକର ନିର୍ମାଣ ଶୈଳୀ, ବିଶାଳ ଆକାର ଓ ସାଜସଜ୍ଜା ବି ସହରରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

ଦୀର୍ଘ ବର୍ଷ ଧରି ତୋରଣ ନିର୍ମାଣ କରିବା କ୍ଷେତ୍ରରେ ବାଦାମବାଡ଼ି-ଶଙ୍କରପୁର ପୂଜା କମିଟିର ଏକ ସ୍ୱତନ୍ତ୍ର ପରିଚୟ ରହିଛି । କଟକ ସହରର ଅନ୍ୟତମ ଏହି ଧନୀ ପୂଜାକମିଟି ପକ୍ଷରୁ ଏଥର ବାହୁବଳୀ ଚଳଚ୍ଚିତ୍ରର ମାହେସ୍ମତୀ ସାମ୍ରାଜ୍ୟର ମହଲ ଢାଞ୍ଚାରେ ବିଶାଳ ତୋରଣ ନିର୍ମାଣ ହୋଇଛି । ବାଦାମବାଡ଼ିର ତୋରଣକୁ କଟକ ଦଶହରାର ପ୍ରବେଶ ପଥ ବୋଲି ଅନେକ ମତ ଦିଅନ୍ତି । କାରଣ ସହର ବାହାରରୁ ଯେଉଁମାନେ ଦଶହରା ଦେଖିବାକୁ ଏଠାକୁ ଆସନ୍ତି ସେମାନେ ବାଦାମବାଡ଼ି ଦେଖିବାକୁ କେବେ ଭୁଲନ୍ତି ନାହିଁ । ଗଜାନନ ଗଣେଶ ପୂଜାରୁ ଏଠାରେ ତୋରଣ ନିର୍ମାଣର ଅନୁକୂଳ ହୁଏ । ମାତ୍ର ଗୋଟିଏ ବଡ଼ ଖମ୍ବ ପୋତାଯାଇ ତୋରଣ ନିର୍ମାଣ ଶୁଭାରମ୍ଭ କରାଯାଏ । ଏକ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୩୦ରୁ ଅଧିକ ଲୋକ ନିର୍ମାଣ କାର୍ଯ୍ୟରେ ଲାଗିଥାନ୍ତି । ସୁଦୂର କୋଲକାତାରୁ କାରିଗର ଆସି ଏହାକୁ ନିର୍ମାଣ କରିଥିବାବେଳେ ଏଥିରେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହି ନିର୍ମାଣ ଆରମ୍ଭ ହେବା ଦର୍ଶାଇଥାଏ ଯେ ଦଶହରା ପାଖେଇ ଆସିଲା । କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ସପ୍ତମୀ ତିଥିରେ ଏହି ତୋରଣକୁ ଉଦ୍‌ଘାଟନ କରିଛନ୍ତି । ଗତ କିଛି ବର୍ଷଧରି ତୋରଣ ନିର୍ମାଣ କ୍ଷେତ୍ରରେ ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛି । ପ୍ରସିଦ୍ଧ ଅମରନାଥ ମନ୍ଦିର ଢାଞ୍ଚାରେ ନିର୍ମାଣ ହୋଇଛି ତୋରଣ । କାଠଯୋଡ଼ି ରିଂ ବନ୍ଧରେ ନିର୍ମିତ ଏହି ତୋରଣ ନିର୍ମାଣର ଆରମ୍ଭ ନନ୍ଦୋତ୍ସବରୁ ହୋଇଥିଲା । କୋଲକାତାରୁ କାରିଗର ଆସି ଏହାକୁ ନିର୍ମାଣ କରିଛନ୍ତି । ରବିବାର ଏହି ତୋରଣକୁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦ୍‌ଘାଟନ କରିଥିଲେ । ଏହି ତୋରଣ ନିର୍ମାଣ ପାଇଁ ପାଖାପାଖି ୧୨ଲକ୍ଷ ଟଙ୍କା ବ୍ୟୟ ହୋଇଥିବା କୁହାଯାଉଛି । ଅନ୍ୟପଟେ ନୂଆପଡ଼ା ପୂଜା ମଣ୍ଡପ ପକ୍ଷରୁ ଏଥର କର୍ଣ୍ଣାଟକ ବିଧାନସଭା ଢାଞ୍ଚାରେ ତୋରଣ ନିର୍ମାଣ ହୋଇଛି । ପ୍ରଥମ ଥର ଲାଗି ତୋରଣ ନିର୍ମାଣ କ୍ଷେତ୍ରରେ ଆଲୋଚନାର ପରିସରକୁ ଆଛି ନୂଆପଡ଼ା ପୂଜା କମିଟି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ତୋରଣକୁ ସ୍ଥାନୀୟ କାରିଗର ନିର୍ମାଣ କରିଛନ୍ତି । ଏଥିପାଇଁ ପାଖାପାଖି ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି । ଏଥର ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ କଟକରେ ପୂଜା ପେଣ୍ଡାଲ୍ ପ୍ରସ୍ତୁତ କରିଛିି ଶିଖରପୁର-ଗଣ୍ଡରପୁର-ମହାନଦୀ ବିହାର ପୂଜା କମିଟି । ଅଧିକାଂଶ ବଡ଼ ପୂଜାମଣ୍ଡପ ଏଥର ଆକର୍ଷଣୀୟ ଲାଇଟ୍ ଗେଟ୍‌କୁ ଗୁରୁତ୍ୱ ଦେଇଛନ୍ତି । ୫୨ ବଜାର ୫୩ ଗଳିର କଟକରେ ୨୮ଟି ଚାନ୍ଦିମେଢ଼ ସହିତ ସୁନା ଅଳଙ୍କାରରେ ସଜ୍ଜିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି କଟକ ଦଶହରାକୁ ବେଶ୍ ଆକର୍ଷଣୀୟ କରିପାରିଛି । ଆଜି ଅଷ୍ଟମୀ ତିଥିରେ ପାଗ ଭଲ ରହିଥିବାରୁ ବିଭିନ୍ନ ପୂଜା ମଣ୍ଡପରେ ପରିବେଷିତ ହେଉଥିବା ନାମୀଦାମୀ ପାର୍ଟିର ମେଲାଡି କାର୍ଯ୍ୟକ୍ରମକୁ ଲୋକେ ମନଭରି ଉପଭୋଗ କରିଛନ୍ତି ।

Comments are closed, but trackbacks and pingbacks are open.