ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: ସହରରେ ଉଠିବ ‘ଜିରୋ ଟ୍ରାଫିକ’ ନିୟମ!

40

ଏଣିକି ସାଧାରଣ ଲୋକଙ୍କ ମୁଣ୍ଡରୁ ହଟିବ ଟ୍ରାଫିକ ସମସ୍ୟା । ସହରରେ ‘ଜିରୋ ଟ୍ରାଫିକ’ ନିୟମକୁ ପ୍ରତ୍ୟାହାର କରିବା ପାଇଁ କରାଯାଉଛି ବ୍ୟବସ୍ଥା । ଏହି ନିୟମ ଯୋଗୁଁ ଜନସାଧାରଣ ଅସୁବିଧାରେ ପଡୁଥିବାରୁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା । ଟ୍ୱିଟ କରି ଏ ନେଇ ନିଜ ମତବ୍ୟକ୍ତ କରିଛନ୍ତି । ଏହାସହିତ ସେ ଆହୁରି ଏକ ବଡ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ସମ୍ବର୍ଦ୍ଧନା ଉତ୍ସବରେ ଫୁଲତୋଡା ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ଏକ କଠୋର ନିଷ୍ପତ୍ତି ଶୁଣାଇଛନ୍ତି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ବଡ ନିଷ୍ପତ୍ତି ନେଇଛନ୍ତି ସିଦ୍ଦରମେୟା । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ‘ଜିରୋ ଟ୍ରାଫିକ’ ନିୟମକୁ ପ୍ରତ୍ୟାହାର କରିବା ପାଇଁ ବେଙ୍ଗଲୁରୁ ପୋଲିସକୁ କହିଛନ୍ତି । ଏହି ନିୟମ ଜନସାଧାରଣଙ୍କୁ ଅସୁବିଧାରେ ପକାଉଥିବାରୁ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା । ଟ୍ୱିଟ କରି ସେ ଲେଖିଛନ୍ତି ଯେ, ‘ଜିରୋ ଟ୍ରାଫିକ’ ଲାଗୁ ହୋଇଥିବା ରାସ୍ତାରେ କଟକଣା ଯୋଗୁଁ ଯାତାୟତ କରୁଥିବା ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ସମସ୍ୟା ଦୂର କରିବା ପାଇଁ ସେ ଏଭଳି ଏକ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

ସେହିପରି ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଜଣାଇବା ପରମ୍ପରାରେ ମଧ୍ୟ ସେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଏଣିକି ଫୁଲତୋଡା କିମ୍ବା ସାଲ୍ ନୁହେଁ, ବରଂ ପୁସ୍ତକ ଦେଇ ସମ୍ମାନ ଜଣାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି ଯେ, ସମ୍ମାନର ନିଦର୍ଶନ ସ୍ୱରୂପ ଲୋକେ ଦେଉଥିବା ସାଲ୍ କିମ୍ବା ଫୁଲତୋଡାରେ ସେ ଗ୍ରହଣ କରିବେ ନାହିଁ । ତେବେ ଏହି ନିଷ୍ପତ୍ତି ଉଭୟ ବ୍ୟକ୍ତିଗତ ଏବଂ ସର୍ବସାଧାରଣ କାର୍ଯ୍ୟ ପାଇଁ ମଧ୍ୟ ଲାଗୁ କରାଯିବ । ଉପହାର ଭାବରେ ଶ୍ରଦ୍ଧା ଏବଂ ସମ୍ମାନ ବ୍ୟକ୍ତ କରିବାକୁ ଚାହୁଁଥିଲେ ଫୁଲତୋଡା ଏବଂ ସାଲ୍ ଦେବା ପରିବର୍ତ୍ତେ ଗୋଟିଏ ପୁସ୍ତକ ଦେଇ ସ୍ୱାଗତ ଜଣାଇଲେ ମୁଁ ବେଶୀ ଖୁସି ହେବି ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.