ପୂର୍ବତନ ବାଚସ୍ପତିଙ୍କ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

28

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ବ୍ରଜରାଜନଗର ଠାରେ ବିଧାନ ସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଶୋର ବାବୁଙ୍କ ସରଳତା ହିଁ ତାଙ୍କର ବଡ଼ ପରିଚୟ ଥିଲା। ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ସେ ସରକାରୀ ମୁଖ୍ୟ ସଚେତକ, ସାଂସଦ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନସଭାର ବାଚସ୍ପତି ମଧ୍ୟ ହୋଇଥିଲେ। ବିଜୁ ଜନତା ଦଳର ସେ ଜଣେ ଦକ୍ଷ ସଂଗଠକ ଓ ନେତା ଥିଲେ। ଦଳକୁ ମଜବୁତ କରିବାରେ ତାଙ୍କର ବହୁତ ଅବଦାନ ଥିଲା। ଏହି କାର‌୍ୟ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସ ଯୋଗ ଦେଇ କହିଥିଲେ ଯେ, ସ୍ବର୍ଗତ କିଶୋର ବାବୁଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା। ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସେ ଅନେକ ଉନ୍ନୟନମୂଳକ କାମ କରିଯାଇଛନ୍ତି। ବିଧାୟକ ତଥା ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ ସ୍ବର୍ଗତ କିଶୋର ମହାନ୍ତି ବ୍ରଜରାଜନଗର ତଥା ସମଗ୍ର ପଶ୍ଚିମ ଓଡିଶାର ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ଅମର ହୋଇ ରହିବେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ।

Comments are closed, but trackbacks and pingbacks are open.