ଭୁବନେଶ୍ୱରରେ ଜାତୀୟ ଧ୍ୱଜା କ୍ଷେତ୍ରର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

93

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ଜନତା ମୈଦାନ ନିକଟ ମହାତ୍ମା ଗାନ୍ଧୀ ପାର୍କରେ ଜାତୀୟ ଧ୍ୱଜା କ୍ଷେତ୍ର (National Flag Plaza) ଉନ୍ମୋଚନ କରିଛନ୍ତି। ୫୬୦୦ ବର୍ଗ ମିଟର ପରିସୀମା ବ୍ୟାପି ଏହି ପ୍ଲାଜାକୁ, ଭାରତର ଜାତୀୟ ପତାକା ପ୍ରତି ଥିବା ସମ୍ମାନ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି। ଯେଉଁଥିରେ ୧୦୦ଫୁଟ ଉଚ୍ଚରେ ଥିବା ଏକ ମାଷ୍ଟ ଉପରେ ଏହି ପତାକାକୁ ଅବସ୍ଥାପିତ କରାଯାଇଛି।

ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ (ମଧ୍ୟ), ଅନନ୍ତ ନାରାୟଣ ଜେନା, ବିଧାୟକ (ଉତ୍ତର), ସୁଶାନ୍ତ କୁମାର ରାଉତ, ବିଏମ୍ ସି କମିଶନର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଡିଏ ଅଧ୍ୟକ୍ଷ ଜି ମାଥିଭାଥାନନ୍, ପୋଲିସ କମିଶନର ସଞ୍ଜୀବ ପଣ୍ଡା, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ ଙ୍କ ସମେତ ଓଏମସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ପ୍ଲାଜା ଜାତୀୟ ପତାକାର ସୃଷ୍ଟି ଠାରୁ ଆରମ୍ଭ କରି ଏହାର ଐତିହାସିକ ସଂଘର୍ଷର ଏକ ସ୍ମରଣକାରୀ ଗାଥା ଭାବରେ ଏହାର କାହାଣୀକୁ ବର୍ଣ୍ଣନା କରିବ। ଷ୍ଟେନଲେସ୍ ଷ୍ଟିଲ୍ ପ୍ଲେଟରେ ସଜ୍ଜିତ ବାଲୁକା ପଥର (ସ୍ୟାଣ୍ଡ ଷ୍ଟୋନ) ପ୍ୟାନେଲଗୁଡିକ ୧୯୦୭ ରୁ ୧୯୪୭ ମସିହା ପର୍ଯ୍ୟନ୍ତ ରହିଥିବା ପତାକା ଗୁଡିକୁ ୟୁଭି- ମୁଦ୍ରିତ କରି ଏହାର ପ୍ରଦର୍ଶନ କରିବ। ଏହି ପ୍ୟାନେଲଗୁଡିକୁ ରେ ସ୍ୱାଧୀନତା ଆନ୍ଦୋଳନର ଜାତୀୟ ତଥା ସ୍ଥାନୀୟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଚିତ୍ର ରହିବ। ଏହା ସହିତ, ଭାରତୀୟ ସମ୍ବିଧାନର ସ୍ୱୀକୃତିପ୍ରାପ୍ତ ୨୨ ଟି ସରକାରୀ ଭାଷାରେ “ଜୟ ହିନ୍ଦ୍” ର ଲେଖା ରହିବା ସହିତ ହିନ୍ଦୀ ଏବଂ ଓଡିଆ ବର୍ଣ୍ଣରେ ଜାତୀୟ ସଂଗୀତ ଏହି ପ୍ୟାନେଲର ଶୋଭାବର୍ଦ୍ଧନ କରିବ।

Comments are closed, but trackbacks and pingbacks are open.