ଆଉ ଦୁଇ ବନ୍ଦେ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ

26

ଭୁବନେଶ୍ୱର: ଆଜି ପୁରୀରୁ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିଥିଲେ । ୮ ହଜାର କୋଟିର ଏହି ଅତ୍ୟାଧୁନିକ ଟ୍ରେନ  ପୁରୀରୁ ହାୱଡା ଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ ।

ବନ୍ଦେ ଭାରତ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଅନେକ ଦାବି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଆଉ ୨ଟି ବନ୍ଦେ ଭାରତ ଟ୍ରେନ ଓଡ଼ିଶା ପାଇଁ ଦାବି କରିଛନ୍ତି । ଏଥିସହିତ ପୁରୀ-କୋଣାର୍କ ନୂଆ ରେଳ ଲାଇନ ପାଇଁ ଦାବି କରିଛନ୍ତି । ଏଥିସହିତ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସମ୍ବଲପୁର ଦେଇ ରାଉରକେଲା ଗଡିବା ଏବଂ ଭୁବନେଶ୍ୱରରୁ ହାଇଦ୍ରାବାଦ ବନ୍ଦେ ଭାରତ ଟ୍ରେନ ଚଳାଚଳ ଦାବି କରିଛନ୍ତି ।

ଏଥିସହିତ ଅନଗୁଳ-ସୁକିନ୍ଦା ଏବଂ ହରିଦାସପୁର-ପାରାଦୀପ ଲାଇନରେ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ମଧ୍ୟ ଦାବି ରଖିଥିଲେ । ଶେଷରେ ପୁରୀରେ  ଅନ୍ତର୍ଜାତୀୟ ବିମାନ ବନ୍ଦର କାମକୁ ତ୍ୱରାନ୍ୱିତ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ।

ସୂଚନାଥାଉ କି, ଆଜି ଏହି ଉଦଘାଟନୀ ଉତ୍ସବରେ ପୁରୀ ଷ୍ଟେସନରେ ଉପସ୍ଥିତ ଥିଲେ ରାଜ୍ୟପାଳ ଗଣେଶୀ ଲାଲ, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏମାନଙ୍କ ସହିତ  ପୁରୀ ସାଂସଦ ଓ ବିଧାୟକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.