ରେଳ ପ୍ରକଳ୍ପ ପାଇଁ କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ

26

ଭୁବନେଶ୍ବର: ଓଡ଼ିଶାର ରେଳପଥକୁ ବିକଶିତ କରିବା ନିମନ୍ତେ ୬ ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ  ଅଶ୍ଵିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ନିଜର ‘ଏକ୍ସ’ରେ ଲେଖିଛନ୍ତି, ଓଡ଼ିଶାର ରେଳପଥକୁ ବିକଶିତ କରିବା ନିମନ୍ତେ ୬ ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଥିବାରୁ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଏହି ପ୍ରକଳ୍ପ ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ବିକାଶର ମାଧ୍ୟମ ପାଲଟିବ। ଡବଲ ଇଞ୍ଜିନ ସରକାରରେ ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ଵାର୍ଥ ପୂରଣ ସହ ଓଡ଼ିଶାକୁ ପୂର୍ବୋଦୋୟ ବିକାଶର କେନ୍ଦ୍ର ଭାବେ ଗଢିତୋଳିବାର ସ୍ଵପ୍ନ ସାକାର ହେବ। ଓଡ଼ିଶାରେ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଏ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟର ଅର୍ଥନୈତିକ କମିଟି ବୈଠକରେ ଓଡ଼ିଶାର ଛଅଟି ସମେତ ସମୁଦାୟ ୮ଟି ରେଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରେଳ, ସୂଚନା ଓ ପ୍ରସାରଣ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ୮ଟି ନୂତନ ରେଳ ପ୍ରକଳ୍ପ ନିର୍ମାଣ ବାବଦରେ ସମୁଦାୟ ୨୪, ୬୫୭ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଦ୍ୱାରା ଅନୁମୋଦିତ ରେଳ ପ୍ରକଳ୍ପରେ ଉତ୍ତର ଓଡ଼ିଶାର ୩ଟି ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୩ଟି ପ୍ରକଳ୍ପ ରହିଛି। ସମସ୍ତ ଛଅଟି ପ୍ରକଳ୍ପ ରାଜ୍ୟର ଆକାଂକ୍ଷା ଜିଲା ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିର୍ମାଣ କରାଯିବ। ଦକ୍ଷିଣ ଓଡ଼ିଶାରେ ଗୁଣୁପୁର-ଥେରୁବାଲି (୭୩.୬ କି.ମି) ଓ ମାଲକାନଗିରି-ଭଦ୍ରାଚଳମ-ପାଣ୍ଡୁରଙ୍ଗାପୁରମ (୧୭୩.୬ କି.ମି) ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଜୁନାଗଡ଼-ନବରଙ୍ଗପୁର (୧୧୬.୨ କି.ମି) ନୂତନ ରେଳପଥ ନିର୍ମାଣ ହେବ। ସେହିପରି ଉତ୍ତର ଓଡ଼ିଶାରେ ବାଦାମପାହାଡ଼-କେନ୍ଦୁଝରଗଡ଼ (୮୨ କି.ମି), ଗୋରୁମହିଷାଣୀ-ବାଙ୍ଗିରିପୋଷି (୮୫.୬ କି.ମି) ଏବଂ ବୁଢ଼ାମରା-ଚାକୁଳିଆ (୬୦ କି.ମି) ନୂତନ ରେଳପଥ ନିର୍ମାଣ ପ୍ରସ୍ତାବ ରହିଛି। ଗୁଣୁପୁର-ଥେରୁବାଲିରେଳପଥ ନିର୍ମାଣ ପାଇଁ ୧୩୨୬ କୋଟି, ମାଲକାନଗିରି-ଭଦ୍ରାଚଳମ-ପାଣ୍ଡୁରଙ୍ଗାପୁରମ ନିର୍ମାଣ ପାଇଁ ୪୧୦୯ କୋଟି, ଜୁନାଗଡ଼-ନବରଙ୍ଗପୁର ରେଳପଥ ନର୍ମାଣ ପାଇଁ ୩୨୭୪ କୋଟି, ବାଦାମପାହଡ଼-କେନ୍ଦୁଝରଗଡ଼ ରେଳପଥ ନିର୍ମାଣ ପାଇଁ ୨୧୦୭ କୋଟି, ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂତନ ରେଳପଥ ନିର୍ମାଣ ପାଇଁ ୨୫୪୯ କୋଟି ଏବଂ ବୁଢ଼ାମରା-ଚାକୁଳିଆ ନୂତନ ରେଳପଥ ନିର୍ମାଣ ପାଇଁ ୧୬୩୯ କୋଟି ଟଙ୍କା ଖର୍ଚ୍ଚ ହେବ। ପିଏମ ଗତିଶକ୍ତି ଅନୁଯାୟୀ ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣ ଦ୍ୱାରା ଆସାନସୋଲ ଠାରୁ ୱାରଙ୍ଗଲ ମଧ୍ୟରେ ନୂତନ ରେଳ କରିଡର ନିର୍ମାଣ ହୋଇପାରିବ।

Comments are closed, but trackbacks and pingbacks are open.