ନବ ଦାସଙ୍କ ସ୍ମୃତିସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

28

ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପୂର୍ବରୁ ସେ ନବ କିଶୋର ଦାସଙ୍କ ପତ୍ନୀ ଝିଅ ଦିପାଳି ଓ ପୁଅ ବିଶାଲଙ୍କୁ ଭେଟି ସମବେଦନା ଜଣାଇଥିଲେ । ଝାରସୁଗୁଡ଼ାର ସରବାହାଲଠାରେ ଆୟୋଜିତ ଏହି ସ୍ମୃତିସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ଓ ବିଧାୟକ ଉପସ୍ଥିତ ରହି ନବ ଦାସଙ୍କ ସ୍ମୃତିଚାରଣ କରିଥିଲେ । ସେପଟେ ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀଙ୍କୁ ବି ସେଠାରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବାପରେ ସେଠାରୁ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ ପଡ଼ିଆକୁ ଯାଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ ।

ଏହାପରେ ହେଲିକପ୍ଟରରେ ଝାରସୁଗୁଡା ବିମାନ ବନ୍ଦରକୁ ଯିବା ପରେ ବିମାନରେ ଭୁବନେଶ୍ୱର ଫେରିଛନ୍ତି । ନବ ବାବୁଙ୍କ ଏହି ଶ୍ରଦ୍ଧାଞ୍ଜଳି ସଭାରେ ୫୦ ହଜାରରୁ ଅଧିକ ଲୋକଙ୍କ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ୪୦ ରୁ ଅଧିକ କାଉଣ୍ଟର ବ୍ୟବସ୍ଥା ହୋଇଛି । ଭିଭିଆଇପି, ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡରୁ ସରବାହଲ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରହିଛି ।

ପୁଲିସ ପକ୍ଷରୁ ୧୨ ପଏଣ୍ଟରେ ନାକା ଲଗାଯାଇଚି । ସହରରେ ଟ୍ରାଫିକ ସ୍ୱାଭାବିକ ରହିଛି । ଯେଭଳି ସଧାରଣ ଲୋକ ପ୍ରଭାବିତ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Comments are closed, but trackbacks and pingbacks are open.