ରାମମନ୍ଦିର ଥିମ ଉପରେ ଆଧାରୀତ ୫୦ ଗ୍ରାମର ରଙ୍ଗୀନ ରୂପା ମୁଦ୍ରା ଜାରି କଲେ କେନ୍ଦ୍ର ସରକାର

38

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପରଠାରୁ ପ୍ରତିଦିନ ମନ୍ଦିରରେ ଭକ୍ତମାନଙ୍କର ନାହିଁ ନଥିବା ଭିଡ ଲାଗିରହୁଛି । ବର୍ତ୍ତମାନ ମନ୍ଦିରରେ ପବିତ୍ର ରାମନବମୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସେପଟେ କିନ୍ତୁ ରାମ ମନ୍ଦିରର ପ୍ରସାଦ, ସରଜୁ ନଦୀର ଜଳ ପରି କିଛି ବିଶେଷ ଜିନିଷର ଚାହିଦା ବଢିବାରେ ଲାଗିଛି । ଏପରିସ୍ଥିତିରେ ଯେଉଁମାନେ ଅଯୋଧ୍ୟାକୁ ଯାଇ ରାମଲାଲାଙ୍କ ଦର୍ଶନ କରିପାରୁନାହାଁନ୍ତି ସେମାନେ ଅନଲାଇନରେ ରାମଲାଲାଙ୍କ ପ୍ରସାଦ ଅର୍ଡର କରୁଛନ୍ତି । ଏହାରି ଭିତରେ କେନ୍ଦ୍ର ସରକାର ସର୍ବସାଧାରଣଙ୍କୁ ବିକ୍ରୟ ପାଇଁ ଏକ ସୀମିତ ସଂସ୍କରଣର ୫୦ ଗ୍ରାମର ରଙ୍ଗୀନ ରୂପା ମୁଦ୍ରା ଜାରି କରିଛନ୍ତି ।

ସର୍ବସାଧାରଣଙ୍କୁ ବିକ୍ରୟ ପାଇଁ ଜାରି କରାଯାଇଥିବା ଏହି ମୁଦ୍ରାର ମୂଲ୍ୟ ରହିଛି ୫୮୬୦ ଟଙ୍କା । ୫୦ ଗ୍ରାମ ଓଜନର ଏହି ମୁଦ୍ରା ୯୯୯ ପ୍ରତିଶତ ଶୁଦ୍ଧ ରୂପାରେ ନିର୍ମିତ । ଏହି ମୁଦ୍ରାକୁ SPMCILI ୱେବସାଇଟରୁ ଅନଲାଇନରେ କିଣିପାରିବେ ଭକ୍ତ । ଏହି ମୁଦ୍ରା ରାମଲାଲା ଏବଂ ରାମମନ୍ଦିର ଥିମ୍ ଉପରେ ଆଧାରିତ ।

ଏହି ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ଗର୍ଭଗୃହରେ ବିରାଜମାନ ରାମ ଲାଲାଙ୍କ ପ୍ରତିମା ରହିଥିବା ବେଳେ ଅପର ପାର୍ଶ୍ଵରେ ରାମ ମନ୍ଦିରର ଚିତ୍ର ରହିଛି । ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପିତ ରାମଲାଲାଙ୍କ ମୂର୍ତ୍ତି ପ୍ରଭୁ ରାମଙ୍କର ୫ ବର୍ଷିୟ ବାଳକ ରୂପ ଅଟେ । ଏହି ପ୍ରତିମାକୁ ଶିଳ୍ପୀ ଅରୁଣ ଯୋଗୀ ରାଜ ନିର୍ମିତ କରିଥିଲେ । ଏହି ମୁଦ୍ରାକୁ କିଣି ଆପଣ ଆପଣଙ୍କ ପୂଜା ଘରେ ରଖିପାରିବେ । ଏହା ବ୍ୟତୀତ, ଏହି ମୁଦ୍ରାକୁ ଆପଣଙ୍କ ପ୍ରିୟଜନଙ୍କୁ ଉପହାର ସ୍ଵରୂପ ମଧ୍ୟ ଦେଇପାରିବେ ।

Comments are closed, but trackbacks and pingbacks are open.