୭୫ ଲକ୍ଷ ଟଙ୍କା ସହ ପୋଲିସ ହାତରେ ଧରାପଡ଼ିଲେ ଗଂଜେଇ ବେପାରୀ

19

କମିଶନରେଟ ପୋଲିସ କୁ ବଡ଼ ସଫଳତା । କଟକ ୪୨ ମୌଜାରୁ ଧରା ପଡିଲା କୁଖ୍ୟାତ ଗଂଜେଇ ବେପାରୀ I ଜବତ ହେଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ନଗଦ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜବତ । ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘ ୨୦ ବର୍ଷରୁ ଅଧିକ ହେଲାଣି ଗଞ୍ଜେଇ ବେପାର କରୁଥିଲା। ଗଞ୍ଜେଇ ବେପାରୀର ନାଁ ନାରାୟଣ ପତି ଓରଫ ବୁବୁ। ତା’ ଘର କଟକ ଜିଲ୍ଲା ବୟାଳିଶ ମୌଜାରେ। ତା’ ସହିତ ତା’ର ଜଣେ ସହଯୋଗୀ ଅବକାଶ ସ୍ୱାଇଁଙ୍କୁ ମଧ୍ୟ ପୁଲିସ୍ ଗିରଫ କରିବା ସହ ନଗଦ ଟଙ୍କା ଓ ନାରାୟଣ ନିକଟରୁ ୨୦ କେଜି ଗଞ୍ଜେଇ ଜବତ କରାଯାଇଛି।
ଖବର ଅନୁଯାୟୀ, ଗଞ୍ଜେଇ କାରବାର ନେଇ କମିଶନରେଟ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଦାମବାଡ଼ି ପୋଲିସ ଆରମ୍ଭ କରିଥିଲା ଅପରେସନ ।


ସାମ୍ବାଦିକ ସମ୍ମିଳନୀରେ ଘଟଣା ସଂପର୍କରେ ସୂଚନା ଦେଇ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ନାରାୟଣ ଉପରେ ସ୍ପେଶାଲ ସ୍କ୍ୱାଡ୍‌ ଓ ବାଦାମବାଡ଼ି ପୁଲିସ ନଜର ରଖିଥିଲେ। ଗତକାଲି ନାରାୟଣ ଓ ତା’ର ସହଯୋଗୀ ଅବକାଶ ସ୍ୱାଇଁ ବାଦାମବାଡ଼ିରେ ଗଞ୍ଜେଇ ବିକ୍ରି କରୁଥିବା ଖବର ମିଳିଥିଲା। ଏହା ପରେ ସ୍ପେଶାଲ ସ୍କ୍ୱାଡ୍‌ ଓ ବାଦାମବାଡ଼ି ପୁଲିସ ସେଠାରେ ଚଢ଼ାଉ କରି ଉଭୟଙ୍କୁ ଥାନାକୁ ଆଣିଥିଲେ। ସେମାନଙ୍କ ନିକଟରୁ ଜବତ ସ୍କୁଟିରୁ ୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଥାନାରେ ନାରାୟଣକୁ ପଚରାଉଚାର କରିବା ପରେ ଆଜି ସକାଳେ ବୟାଳିଶ ମୌଜାରେଥିବା ତା’ ଘରେ ଚଢ଼ାଉ କରାଯାଇଥିଲା। ତା’ ଘରୁ ୭୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଥିଲା। ଏହା ସହ କିଛି ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଥିଲା। ନାରାୟଣ ଠାରୁ ବିପୁଳ ପରିମାଣରେ ଅର୍ଥ ମିଳିବା ପରେ ତା’ର ଆର୍ଥିକ କାରବାର ବାବଦରେ ତଦନ୍ତ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ଓ ଆୟକର ବିଭାଗକୁ ଚିଠି ଲେଖାଯିବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି। ତେବେ ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ଏହି ଗଞ୍ଜେଇ କାରବାରର ଲିଙ୍କ କେଉଁ ପର୍ଯ୍ୟନ୍ତ ଲାଗିଛି । ସେ ଦିଗରେ ମଧ୍ୟ ତଥ୍ୟ ଯୋଗାଡ଼ କରୁଛି ପୋଲିସ ।

Leave A Reply

Your email address will not be published.