ଆଖି ବୁଜିଲା ଶାକାହାରୀ କୁମ୍ଭୀର

42

କୋଚି: କୁମ୍ଭୀର ସାଧାରଣତଃ ଅନ୍ୟ ଜୀବମାନଙ୍କୁ ଖାଇଥାଏ ବୋଲି ସମସ୍ତେ ଜାଣିଛନ୍ତି। ହେଲେ ଏଠାରେ ଏମିତି ଏକ କୁମ୍ଭୀର ଥିଲା ଯିଏ ଥିଲା ସମ୍ପୂର୍ଣ୍ଣ ଶାକାହାରି। ସେହି କୁମ୍ଭୀରଟି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିବା ଜଣାପଡ଼ିଛି। କେରଳର କସରଗଡ୍ର ‘ଶ୍ରୀ ଅନନ୍ତ ପଦ୍ମନାଭ’ ମନ୍ଦିରରେ ପାଳିତ କୁମ୍ଭୀର ଆଖି ବୁଜିଛି। କୁମ୍ଭୀରଟି ମଣିଷର ଭାବ ସହ ମିଶିଯାଇଥିଲା। ଏଠାକାର ଲୋକେ ଶ୍ରଦ୍ଧାରେ ତା ନାଁ ଦେଇଥିଲେ ‘ବବିୟା’। ଏବେ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ତାକୁ ଝୁରୁଛନ୍ତି। ୭୫ ବର୍ଷୀୟ ଏହି କୁମ୍ଭୀରଟି ସ୍ଥାନୀୟ ଲୋକ ଓ ଭକ୍ତଙ୍କ ପ୍ରେମର ବନ୍ଧନରେ ବାନ୍ଧି ହୋଇଥିଲା। କେବଳ ମନ୍ଦିର ବେଢ଼ାରେ ବୁଲୁଥିଲା। ଚରୁଥିଲା। ସବୁ କିଛି କରୁଥିଲା। କୁମ୍ଭୀରର ପ୍ରବୃତ୍ତି ମାଂସାହାରୀ ହୋଇଥିବା ବେଳେ ‘ବବିୟା’ କିନ୍ତୁ ଥିଲା ଶାକାହାରୀ। ୭୫ ବର୍ଷ ହେବ କୁମ୍ଭୀରଟି ଏଠିକାର ମନ୍ଦିର ପାଖ ହ୍ରଦରେ ରହି ଆସୁଥିଲା। ପ୍ରତିଦିନ କୁମ୍ଭୀରଟି ମନ୍ଦିର ବେଢ଼ାକୁ ଆସେ ଏବଂ ଭକ୍ତମାନେ ଯାହା ଦିଅନ୍ତି ଖାଇଦିଏ। କୁମ୍ଭୀରଟି ଚାଉଳ ଏବଂ ଗୁଡ଼ ଖାଇଥାଏ। ହିଂସ୍ର ଜୀବ ହେଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ଶ୍ରଦ୍ଧା, ଭଲ ପାଇବା ଓ ସ୍ନେହ ପାଇ ସୁଧାରରେ ସେ ବେଶ ଶାନ୍ତ ଥିଲା ଦେଖିବାକୁ କଳା ମଚମଚ କୁମ୍ଭୀରଟି ପ୍ରତିଦିନ ଖାଇବାକୁ ଆସି ପୁଣି ତା’ ନିଜ ବାଟରେ ଚାଲିଯାଏ। କିନ୍ତୁ ଏଠାକୁ ଆସୁଥିବା ଭକ୍ତଙ୍କର କାହାର କିଛି କ୍ଷତି କରି ନଥାଏ। ମନ୍ଦିରର ପୂଜା ପରେ ଭକ୍ତମାନେ ଦିନକୁ ୨ ଥର ତାକୁ ପ୍ରସାଦ ଦେଇଥାନ୍ତି। ୧୯୪୫ରେ ଜଣେ ବ୍ରିଟିସ ସୈନ୍ୟ ଏଠିକାର ହ୍ରଦରେ ଥିବା ଏକ କୁମ୍ଭୀରକୁ ଗୁଳି କରିଥିଲେ। ଏହାର କିଛି ଦିନ ପରେ ଏହି ହ୍ରଦରୁ ବବିୟାର ଆବିର୍ଭାବ ହୋଇଥିଲା। ସେବେଠାରୁ ଏହି କୁମ୍ଭୀରକୁ ଅତି ଯତ୍ନର ସହକାରେ ସ୍ଥାନୀୟ ଲୋକେ ତାର ଚର୍ଚ୍ଚା କରି ଆସୁଥିଲେ। ତେବେ ଗତ କିଛି ଦିନ ହେଲା କୁମ୍ଭୀରଟି ଅସୁସ୍ଥ ଥିଲା। କୁମ୍ଭୀରଟିକୁ ମାଙ୍ଗାଲୋରୁରେ ଥିବା ଏକପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ପରେ ତାକୁ ନେଇ ସେଇ ହ୍ରଦରେ ଛଡ଼ାଯାଇଥିଲା । ମନ୍ଦିର ଟ୍ରଷ୍ଟି ମନୋରମା କହିଛନ୍ତି ଯେ କୁମ୍ଭୀରଟି ଦୁଇ ଦିନ ହଲା କିଛି ଖାଇ ବାକୁ ଆସୁ ନଥିଲା। ଆମେ ଖୋଜାଖୋଜି କରିଥିଲୁ। ହେଲେ ତାର ସନ୍ଧାନ ପାଉ ନଥିଲୁ। ପରେ ତାର ମୃତ ଦେହ ଠାବ କରାଯାଇଥିଲା। ତେବେ କୁମ୍ଭୀରକୁ ସମ୍ମାନ ଜଣାଇ ତାର ଅନ୍ତିମ ସଂସ୍କାର କରାଯିବ ବୋଲି ମନ୍ଦିର କମିଟି କହିଛି।

Comments are closed, but trackbacks and pingbacks are open.