ପୁଣି ଅଶାନ୍ତ ହେଲା ଭୁବନେଶ୍ବର ମାର୍କେଟ ବିଲ୍ଡିଂ

82

ଭୁବନେଶ୍ୱର: ପୁଣି ଅଶାନ୍ତ ହୋଇଛି ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ। ଚୁକ୍ତି ଅନୁଯାୟୀ ଉଠାଦୋକାନୀଙ୍କୁ ମାର୍କେଟ୍‌ ବିଲ୍ଡିଂ ଭିତରେ ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନ ବସାଇ ଦେଉନାହିଁ। ଆଜି କିଛି ଉଠାଦୋକାନୀ ଭିତରେ ପଶି ବେପାର କରିବାକୁ ଉଦ୍ୟମ କଲାବେଳେ ବିରୋଧ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ସମୟ ଧରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବାସହ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଆଜି ଉଠାଦୋକାନୀଙ୍କ ସହ ଆଲୋଚନା କରିବା ପାଇଁ ବିଏମ୍‌ସି କମିସନର ବୈଠକ ଡାକିଥିଲେ। କିନ୍ତୁ ଏହାକୁ ବାତିଲ କରିଦେବାରୁ ବ୍ୟବସାୟୀମାନେ ମାର୍କେଟ୍‌ ବିଲ୍ଡିଂ ଭିତରେ ପଶିଥିଲେ। ସେଠାରେ ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ ନିଯୁକ୍ତି ଦେଇଥିବା ସୁରକ୍ଷା କର୍ମୀ ଉଠା ଦୋକାନୀଙ୍କ ଜିନିଷପତ୍ର ଫିଙ୍ଗି ଦେବାକୁ ଉଦ୍ୟମ କରିବାରୁ ତୁମୁଳ କାଣ୍ଡ ହୋଇଥିଲା। ଏତେ ଜୋର୍‌ରେ ହୋ ହଲ୍ଲା ହୋଇଥିଲା ଯେ କିଣାକିଣି ପାଇଁ ଆସିଥିବା ଅନେକ ଗ୍ରାହକ ଫେରି ଯାଇଥିଲେ। ସନ୍ଧ୍ୟା ୫ଟା ବେଳେ ଏଭଳି ପରିସ୍ଥିତି ହୋଇଥିଲା। ରାତିରେ ଉଠା ଦୋକାନୀମାନେ କ୍ୟାପିଟାଲ୍‌ ଥାନାରେ ଏନେଇ ଏକ ଏତଲା ଦେଇଛନ୍ତି। ପୂର୍ବରୁ ଉଠା ଦୋକାନୀଙ୍କ ଅଭିଯୋଗ ଆଧାରରେ ୩ଟି ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ୧୮ ଦିନ ପରେ ବନ୍ଦ ରହିବା ପରେ ଗତ ୩ ତାରିଖ ମାର୍କେଟ୍‌ ବିଲ୍ଡିଂ ଖୋଲିଥିଲା। ବିଏମ୍‌ସି ସହ ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିସନର ହୋଇଥିବା ଚୁକ୍ତି ନବୀକରଣ ହେବା ପରେ ସଂଘ ସଦସ୍ୟମାନେ ବ୍ୟବସାୟ ଆରମ୍ଭ କରିଥିଲେ। ଏହି ଚୁକ୍ତିନାମାର ମୁଖ୍ୟ ବିନ୍ଦୁ ଥିଲା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ ଏହି ମାର୍କେଟ୍‌ ବିଲ୍ଡିଂ ପରିସରକୁ ଜବରଦଖଲମୁକ୍ତ ରଖିବ। ସେହି ଚୁକ୍ତି ଆଧାରରେ ସଂଘ ଉଠା ଦୋକାନୀଙ୍କୁ ବସାଇ ଦେଉନାହିଁ। ଏଣେ ଉଠା ଦୋକାନୀ ବସି ପାରୁନଥିବାରୁ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜୁଛି। ଉଠାଦୋକାନୀଙ୍କ କହିବା କଥା ହେଉଛି, ଯେଉଁମାନେ ବେଆଇନ ଭାବରେ ବସୁଛନ୍ତି ସେମାନଙ୍କୁ ବାହାର କରାଯାଉ। କିନ୍ତୁ ଯେଉଁମାନଙ୍କୁ ଏଠାରେ ଉଠାଦୋକାନୀ ବୋଲି ବିଏମ୍‌ସି ଚିହ୍ନଟ କରିଛି, ସେମାନେ କୁଆଡ଼େ ଯିବେ? ହାଇକୋର୍ଟଙ୍କ ଆଦେଶ କୁଆଡ଼େ ଯିବ? ବିଏମ୍‌ସି ଉଠାଦୋକାନୀଙ୍କୁ ଚିହ୍ନଟ କରିବା ପରେ ଉଚ୍ଛେଦ କରିବାକୁ ଚୁକ୍ତି କଲା କେମିତି? ଏଣୁ ଆସନ୍ତାକାଲି ମଧ୍ୟ ପରିସ୍ଥିତି ଉଗ୍ରରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି।

Comments are closed, but trackbacks and pingbacks are open.