ନଷ୍ଟ ହେବାର ଲାଗିଛି ଅର୍କ କ୍ଷେତ୍ରର ସୌନ୍ଦର୍ଯ୍ୟ

42

ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ନିଜର ପ୍ରାଚୀନ କଳାକୃତି ଓ ସ୍ଥାପତ୍ୟ ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ବେଳେ ସ୍ଥାନୀୟ ଏଏସଆଇ ଅଧିକାରୀ ଓ କାର୍ଯ୍ୟ ଦାୟିତ୍ୱରେ ଥିବା ଠିକାଦାରଙ୍କ ମଧୁଚନ୍ଦ୍ରିକା ନୀତି ଯୋଗୁଁ ମନ୍ଦିର ଚତୁଃ ପାର୍ଶ୍ୱସ୍ଥ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରସ୍ତର ସଂରକ୍ଷଣ ହେବା ବଦଳରେ ସେଗୁଡିକ ନଷ୍ଟ ହେବାରେ ଲାଗିଛି । ସଂସ୍କୃତି ପ୍ରେମୀ, ଐତିହାସିକ, ଗବେଷକ, ବୁଦ୍ଧିଜୀବୀ ତଥା କୋଣାର୍କ ଅଞ୍ଚଳବାସୀ ମାନଙ୍କ ମନରେ ନାପସନ୍ଦ କରାଯିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି ।

ପ୍ରକାଶ ଯେ କୋଣାର୍କ ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର ନିଜର କାରୁକାର୍ଯ୍ୟ ପୂର୍ଣ୍ଣ କଳାକୃତି, ଐତିହ୍ୟ, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପାଇଁ ବିଶ୍ୱର କୋଣ ଅନୁକୋଣରେ ସୁପରିଚିତ ଲାଭ କରିଛି । ଏହି ବିରଳ ଐତିହାସିକ ସଂସ୍କୃତି ସମ୍ପନ୍ନ କାରୁକାର୍ଯ୍ୟ ପୂର୍ଣ୍ଣ କଳାକୃତିକୁ ଦେଖିବା ପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦେଶବିଦେଶରୁ ଆସିଥାନ୍ତି ।ଏହି କାରୁକାର୍ଯ୍ୟ ପୂର୍ଣ୍ଣ ଐତିହ୍ୟ ସ୍ଥଳୀର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ସମୟରେ ସୂର୍ଯ୍ୟ ମନ୍ଦିର ପରିସରରେ ଉନ୍ନୟନ କାର୍ଯ୍ୟ କରାଯାଉଛି । ମାତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଦାୟିତ୍ୱରେ ଥିବା ସଂରକ୍ଷଣ ଅଧିକାରୀ ଓ କାର୍ଯ୍ୟ ନେଉଥିବା ଏକ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ଅସାଧୁ ମେଣ୍ଟ ଓ ମଧୁଚନ୍ଦ୍ରିକା ନୀତି ଏହି ସଂରକ୍ଷଣ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି ହେଉଛି ।

କୋଣାର୍କ ଅଞ୍ଚଳର ସଂସ୍କୃତି ବିଶାରଦ, ଐତିହାସିକ, ଗବେଷକ, ବୁଦ୍ଧିଜୀବୀ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ମନରେ ଏହାର ଗଭୀର ରେଖାପାତ କରିବା ସହ ଘଟଣାକୁ ନାପସନ୍ଦ କରାଯାଉଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃ ପାର୍ଶ୍ୱରେ ମନ୍ଦିରର ବିରଳ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରସ୍ତର ମାନ ବିଚ୍ଛୁରିତ ହୋଇ ପଡ଼ିରହିଛି । ଏହି କାରୁକାର୍ଯ୍ୟ ପୂର୍ଣ୍ଣ କଳାକୃତି ପଥର ଖଣ୍ଡକୁ ଏଏସଆଇ ପକ୍ଷରୁ ସଂରକ୍ଷଣ କରି ଭବିଷ୍ୟତ ପିଢ଼ିମାନଙ୍କ ପାଇଁ ସାଇତି ରଖିବା ଏକ ସମ୍ବେଦନଶୀଳ ବିଷୟ ଏଥିରେ ଦ୍ୱିମତ ନାହିଁ । ମାତ୍ର ବର୍ତ୍ତମାନ ପରିପ୍ରେକ୍ଷୀରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃ ପାର୍ଶ୍ୱସ୍ଥ ନିର୍ମାଣଧୀନ ପ୍ରାଚୀର କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇ କାର୍ଯ୍ୟ ସମ୍ପାଦନ କରିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବରମାନ ପ୍ରକାଶ ପାଇଥିଲା ।

ଏହି କାର୍ଯ୍ୟ ଦାୟିତ୍ୱରେ ଥିବା ଠିକାଦାର କାର୍ଯ୍ୟ ଆରମ୍ଭ କରିବା ସମୟରେ ଜେସିପି ବ୍ୟବହାର କରି ପ୍ରାଚୀର ନିଅଁ ଖୋଳିବା ସ୍ଥାନରେ ପଡ଼ିରହିଥିବା କାରୁକାର୍ଯ୍ୟ ପୂର୍ଣ୍ଣ କଳାକୃତି ପଥର ମାନ ସଂରକ୍ଷଣ ହେବା ବଦଳରେ ନଷ୍ଟ ହୋଇଛି । କାର୍ଯ୍ୟ ଦାୟିତ୍ୱରେ ଥିବା ଠିକାଦାର ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଏଏସଆଇ ଭୁବନେଶ୍ୱର ସର୍କଲର ତତ୍କାଳୀନ ସୁପରିଟେଣ୍ଡେଣ୍ଟ ଓ କୋଣାର୍କ ମନ୍ଦିର ଦାୟିତ୍ୱରେ ଥିବା ଏଏସଆଇ ଅଧିକାରୀଙ୍କ ସହ ଅସାଧୁ ମେଣ୍ଟ କରି ଦୀର୍ଘ ୧୫ବର୍ଷଧରି ମନ୍ଦିର ସଂରକ୍ଷଣ କାର୍ଯ୍ୟ ଆଳରେ ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ସାଧାରଣରେ ଆଲୋଚନା ହେଉଛି । ସାମ୍ପ୍ରତିକ ସ୍ଥିତିରେ ସମ୍ପୃକ୍ତ ଠିକାଦାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଏଏସଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ତଦନ୍ତ କରାଗଲେ ମହାଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ସଂସ୍କୃତି ବିଶାରଦ, ଐତିହାସିକ, ଗବେଷକ, ବୁଦ୍ଧିଜୀବୀ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଏଏସଆଇ ମହାନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ଓ ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ପ୍ରମୁଖଙ୍କୁ ଅନୁରୋଧ କରିଛନ୍ତି ।

ଏହି ଠିକାଦାର ସୂର୍ଯ୍ୟ ମନ୍ଦିର ପରିସରରେ ଭାଙ୍ଗିଯାଇଥିବା କାରୁକାର୍ଯ୍ୟ ପୂର୍ଣ୍ଣ ପଥର ଜାଗାରେ ନିମ୍ନମାନର ପଥର ଖଣ୍ଡ ବ୍ୟବହାର କରିଛନ୍ତି । ଏଏସଆଇ ସ୍ଥାନୀୟ ଅଧିକାରୀ ନୀରବ ଦ୍ରଷ୍ଟା ସାଜିବା ସହ ଠିକାଦାରଙ୍କ ସହ ବହୁଦିନର ଅନୁକମ୍ପା ଯୋଗୁଁ ତଦନ୍ତ କରିବା ତ ଦୂରର କଥା ଆଦୌ କାର୍ଯ୍ୟ ସ୍ଥଳକୁ ନ ଯିବା ଘଟଣାରୁ ସ୍ପଷ୍ଟ ଅନୁମେୟ ହୁଏ ଯେ ଠିକାଦାର ସହ ସ୍ଥାନୀୟ ଏଏସଆଇ ଅଧିକାରୀ କିଭଳି ଭାବେ ଅସାଧୁ ମେଣ୍ଟ ରହିଛି ।

କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ଐତିହ୍ୟ ସମ୍ପନ୍ନ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ଦୀର୍ଘ ଦିନ ଧରି ଏକ ପାଖିଆ ଭାବେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନାଁରେ ନିମ୍ନମାନର କାର୍ଯ୍ୟ କରିବା, ପ୍ରାଚୀର କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରିବା ଓ ସଂସ୍କୃତି ସମ୍ପନ୍ନ କୀର୍ତ୍ତିରାଜି ପୂର୍ଣ୍ଣ ପଥର ଖଣ୍ଡ ଗୁଡିକୁ ସଂରକ୍ଷଣ କରିବା ପରିବର୍ତ୍ତେ ନଷ୍ଟ କରିବା ଘଟଣାରେ ସଂଶ୍ଲିଷ୍ଟ ଠିକାଦାର ଶଶାଙ୍କ ଶେଖର ନାୟକଙ୍କ ଲାଇସେନ୍ସକୁ ବାତିଲ କରିବା ସହ ତାଙ୍କ ଦ୍ୱାରା ଦୀର୍ଘ ୧୫ବର୍ଷଧରି କରାଯାଇଥିବା ଓ ବର୍ତ୍ତମାନ ଚାଲିଥିବା କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ମନ୍ତ୍ରୀ, ଏଏସଆଇ ମହାନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ ଓ ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଦୃଷ୍ଟି ଦେଇ ଏହି ମହାଦୁର୍ନୀତି ଓ ଅସାଧୁ ମେଣ୍ଟର ପର୍ଦ୍ଦାଫାସ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, କାର୍ଯ୍ୟରତ ସାମ୍ବାଦିକ ସମୂହ, ବୁଦ୍ଧିଜୀବୀ, ସଂସ୍କୃତି ବିଶାରଦ, ଐତିହାସିକ, ଗବେଷକ ଓ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଦାବି କରାଯାଇଛି ।

Comments are closed, but trackbacks and pingbacks are open.