ହଟ୍ଟଗୋଳ ପାଇଁ ଚାଲିପାରିଲାନି ବିଧାନସଭା

223

ଭୁବନେଶ୍ବର: ଆଜି ମଧ୍ୟ ବିଧାନସଭା ଚାଲିପାରିଲା ନାହିଁ। ବିରୋଧୀ ବିଜେଡିର ହଟ୍ଟଗୋଳ ପାଇଁ ଗୃହ ପୁଣି ମୁଲତବି ଘୋଷଣା କଲେ ବାଚସ୍ପତି। ଆଜି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରାଯାଇଛି। ବାଚସ୍ପତି ବାରମ୍ବାର ବିଜେଡି ବିଧାୟକଙ୍କୁ ଗୃହରେ ହଟ୍ଟଗୋଳ ନ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ବିଧାୟକମାନେ ତାହା ଶୁଣି ନ ଥିଲେ। ଫଳରେ ବାଚସ୍ପତି ବାଧ୍ୟ ହୋଇ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ଆଜି ଛୁଟି ପରେ ବିଧାନସଭା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଶ୍ନକାଳ ପାଇଁ ବାଚସ୍ପତି କହିବା ପରେ ବିଧାୟକମାନେ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। ହେଲେ ବିଜେଡି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ହ୍ରାସକୁ ବିରୋଧ କରି ହୋହାଲ୍ଲା କରିଥିଲେ। ବାଚସ୍ପତି ଯେତେ ବୁଝାଇଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା। ଅନ୍ୟପଟେ ଅନାସ୍ଥା ନୋଟିସ ଦେଇଥିବା କଂଗ୍ରେସ ପ୍ଲାକାର୍ଡ ଧରି ନିଜନିଜ ଆସନରେ ପ୍ରତିବାଦ କରିଥିଲେ। ଅନାସ୍ଥା ପ୍ରସ୍ତାବ ସରକାର କାହିଁକି ଗୃହିତ କରୁ ନାହାଁନ୍ତି ସେ ନେଇ ଦାବୀ କରିଥିଲେ। କଂଗ୍ରେସ ବିଧାୟକ ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିଥିଲେ। ସେମାନେ କହିଥିଲେ ଯେ, ଗୃହରେ ଅନାସ୍ଥା ପ୍ରସ୍ତାବକୁ ଗୃହିତ ନ କରିବା ପାଇଁ ଉଭୟ ଦଳ ସଲାସୁତରା ହୋଇ ଚକ୍ରାନ୍ତ କରିଛନ୍ତି। ଗୃହରେ କଂଗ୍ରେସ ବିଧାୟକମାନେ ବିଜେଡି ବିଜେପି ଭାଇଭାଇ ବୋଲି ଲେଖାଥିବା ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ତେବେ ଏ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ଅଯଥାରେ ଗୃହରେ ହଟ୍ଟଗୋଳ କରୁଛି। ଯଦି ତାଙ୍କର ସାର ଅଭାବ କିମ୍ବା ପଞ୍ଚାୟତ ପ୍ରତିନିଧୀଙ୍କ କ୍ଷମତା ସଂକୋଚିତ ଉପରେ ଆଲୋଚନା କରିବାକୁ ଅଛି ତେବେ ସେମାନେ ଲିଖିତ ଭାବେ ଦିଅନ୍ତୁ। ତାହା ନ କରି ବିଜେଡି ଗୃହ ଭିତରେ କାହିଁକି ହୋ ହାଲ୍ଲା କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Comments are closed, but trackbacks and pingbacks are open.