ଇଣ୍ଡୋନେସିଆ ଏବଂ ଭୁଟାନର ମହାମହିମ ରାଷ୍ଟ୍ରଦୂତ ଦେଖିଲେ ଡାକୋଟା ବିମାନ

39

ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ଏବଂ ଭୁଟାନର ମହାମହିମ ରାଷ୍ଟ୍ରଦୂତ ଇନା ଏଚ୍‌ କ୍ରିଷ୍ଣାମୂର୍ତ୍ତି ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରଖାଯାଇଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପି୍ରୟ ଡାକୋଟା ବିମାନକୁ ପରିଦର୍ଶନ କରିଛନ୍ତି ।

ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ମହାମହିମ ରାଷ୍ଟ୍ରଦୂତଙ୍କୁ ସ୍ୱାଗତ କରିଥିଲେ । ମହାମହିମ ରାଷ୍ଟ୍ରଦୂତ ଙ୍କୁ ଉତ୍ତରୀୟ ଓ ସ୍ମାରକ ଦେ ଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କୁ ଡାକୋଟା ବିମାନ ବୁଲାଇ ଦେଖାଇଥିଲେ ।

ମହାମହିମ ରାଷ୍ଟ୍ରଦୂତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଦେଖି ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଥିଲେ ଯେ ଏହି ବିମାନବନ୍ଦରକୁ ଆସି ଡାକୋଟା ବିମାନ ଦେଖିବା ତାଙ୍କ ପାଇଁ ଏବଂ ପ୍ରତ୍ୟେକ ଇଣ୍ଡୋନେସିଆବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ବିମାନ ସହ ପ୍ରତିଟି ଇଣ୍ଡୋନେସିଆବାସୀଙ୍କର ଭାବଗତ ସଂପର୍କ ରହିଛି । ଇଣ୍ଡୋନେସିଆ ବିପ୍ଳବ ସମୟରେ ଏହି ବିମାନରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଜୀବନ ରକ୍ଷା ହୋଇପାରିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଡଚ୍‌ମାନଙ୍କ ଦ୍ୱାରା ଗୃହବନ୍ଦୀ ଥିବା ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣ, ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟା ଏବଂ ପ୍ରଧାନମନ୍ତ୍ରୀ ସୁତନ ସାହରିୟାରଙ୍କୁ ମୁକ୍ତ କରିବା ପାଇଁ ଧର୍ମପନିୀ ଜ୍ଞାନଦେବୀଙ୍କୁ ନେଇ ଜାକର୍ତ୍ତା ଅଭିମୁଖେ ବିଜୁବାବୁ ନିଜ ଡାକୋଟା ବିମାନରେ ଯାଇ ସେମାନଙ୍କୁ ସୁରକ୍ଷିତ ଭାବେ ଭାରତ ନେଇଆସିଥିଲେ । ବିଜୁବାବୁଙ୍କର ଏହି ସାହସିକତା ପାଇଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଆଜି ମହାମହିମ ରାଷ୍ଟ୍ରଦୂତ ସେସବୁ ଇତିହାସର ସ୍ମୃତିଚାରଣ କରି ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଆଗାମୀ ଦିନରେ ସାମାଜିକ-ସାଂସ୍କୃତିକ ସଂପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।

ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଡାକୋଟା ବିମାନର ଇତିହାସ ଏବଂ କଲିକତା ବିମାନବନ୍ଦରରୁ ଆଣି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ଥାପିତ ହେବା ସଂପର୍କିତ ଏକ କ୍ଷୁଦ୍ର ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ମହାମହିମ ରାଷ୍ଟ୍ରଦୂତ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ପାଇଲଟ୍‌ ଟ୍ରେନିଂ ଇନ୍‌ଷ୍ଟିଚୁ୍ୟଟ୍‌ (ଗତି)ର ପ୍ରଶିକ୍ଷାର୍ଥୀ ଏବଂ ଡାକୋଟା ବିମାନକୁ ମୂଳରୂପକୁ ଫେରାଇ ଆଣିଥିବା ଇଂଜିନିୟରମାନଙ୍କ ସହ ଭାବବିନିମୟ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ କୋଲକାତାଠାରେ ଅବସ୍ଥାପିତ ଇଣ୍ଡୋନେସିଆର କନ୍‌ସଲ ମହେଶ ସାହାରିଆ, ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ, ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଦେବଦତ୍ତା ସୁରଞ୍ଜିତା ଜେନା ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.