ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ୮ ଦିବସୀୟ ମୌସୁମୀ ଅଧିବେଶନ

28

ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ୮ ଦିବସୀୟ ମୌସୁମୀ ଅଧିବେଶନ। ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସ୍ବଳ୍ପ ସମୟ ପାଇଁ ଅଧିବେଶନ ବସୁଥିଲେ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ବିରୋଧୀଙ୍କ ପାଖରେ ସରକାରଙ୍କୁ ଘେରିବା ପାଇଁ ପୂଳା ପୂଳା ପ୍ରସଙ୍ଗ ଥିବାବେଳେ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ଆଣିବେ ସଂରକ୍ଷଣ ସଶୋଧନ ବିଲ୍ । ଏହି ବିଲ୍ କୁ ସରଗରମ ହେବ ବିଧାନସଭା। କାରଣ ଏହି ସଂରକ୍ଷଣ ପାଇଁ ୩ ବର୍ଷ ହେଲା ଅଟିକିଛି ପୌର ନିର୍ବାଚନ। ବିନା ସୀମା ପୂନଃ ନିର୍ଦ୍ଧାରଣରେ କେମିତି ସରକାର ସଂରକ୍ଷଣ ଲାଗୁ କରିବେ ତାକୁ ନେଇ ବିରୋଧୀ ପ୍ରଶ୍ନ କରିବା ସହ, ପୌର ନିର୍ବାଚନ କଥା ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବେ।
ଏପଟେ ବିଧାନସଭା ଅଧିବେଶନ ନେଇ ଉଭୟ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶାସକ ବିଜେଡିର ବୈଠକ ବସିଥିଲା। ଏହି ଅଧିବେଶନରେ ୧୨ଟି ବିଲ୍ ଆଣିବା ଲାଗି ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ମରୁଡି ପ୍ରସଙ୍ଗ, ସାର ଅଭାବ ଜନିତ ସମସ୍ୟା, ଜଳସେଚନର ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଦୁର୍ନୀତି , ଷ୍ଟାଫ ସିଲେକ୍ସନ କମିଶନରେ ଅନିୟମିତତା, କୋଟିଆ ସହ ରାଜ୍ୟରେ ଅନେକ ସ୍ଥାନରେ ସୀମା ବିବାଦ ଆଦି ପ୍ରସଙ୍ଗ ଉଠାଇବ ବିଜେପି । ଏପଟେ କଂଗ୍ରସ ତାର ରଣନୀତି ପ୍ରସ୍ତୁତ କରିଛି। ଚାଷୀଙ୍କ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ ଦଳ ।
ଆଜିର ବିଧାନସଭା ଅଧିବେଶନ ରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା I ଭୁବନେଶ୍ୱର ଏମ୍ସ ହସ୍ପିଟାଲରୁ ଗୃହକାର୍ଯ୍ୟରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କରୋନାରେ ସଂକ୍ରମିତ ହୋଇ ଗତ ଏପ୍ରିଲ ୨୦ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ, ଏବେବି ତାଙ୍କର ଚିକିତ୍ସା ଚାଲିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । କିନ୍ତୁ ବିରୋଧୀ ଦଳ ନେତା ହିସାବରେ ରାଜ୍ୟବାସୀ ତାଙ୍କୁ ଦେଇଥିବା ଦାୟିତ୍ୱ ତାଙ୍କର ପ୍ରାଥମିକତା ବୋଲି କହିଛନ୍ତି ପ୍ରଦୀପ୍ତ ନାଏକ ।ଅସୁସ୍ଥତା କାରଣରୁ ସେ ଏତେ ଦୁର୍ବଳ ହୋଇପଡିଛନ୍ତି ଯେ, ଠିକରେ ତାଙ୍କ ସ୍ୱର ମଧ୍ୟ ଶୁଣାଯାଉନଥିଲା । ବିଧାନସଭାରେ ଦିବଙ୍ଗତ ସଦସ୍ୟଙ୍କ ଉଦେ୍ଧଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଉପରେ ଗୃହରେ ନିଜର ଅଭିଭାଷଣ ରଖିଥିଲେ ବିରୋଧୀ ଦଳ ନେତା ଶ୍ରୀ ନାଏକ I
ସେହିପରି ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡଗ ସ୍କ୍ବାର୍ଡ ବମ୍ ସ୍କ୍ବାର୍ଡ ସହ ଗୁଇନ୍ଦା ବିଭାଗ, ୧୦୦ରୁ ଅଧିକ ପୋଲିସ ଅଫିସର ଓ ୩୫ ପ୍ଲାଟୁନ ଫୋର୍ସ ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ନିୟୋଜିତ ରହିଛନ୍ତି । ବିଧାନସଭା ଚାଲିଥିବା ବେଳେ ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ବନ୍ଦ କରାଯାଇଛି ।

Leave A Reply

Your email address will not be published.