ସିବିଏସଇ ସ୍କୁଲରେ ପଢ଼ାଯିବ ଓଡିଆରେ ପାଠ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

797

ଭୁବନେଶ୍ୱର : ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ଶିକ୍ଷାଦାନ ଦିଆଯାଇପାରିବ । ଏଥିପାଇଁ ସିବିଏସଇ ବିଜ୍ଞପ୍ତି ଜାରି କରିସାରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ଶିକ୍ଷାନୀତି ଅନୁସାରେ ସିବିଏସଇ ସ୍କୁଲରେ ଓଡିଆ ସମେତ ୨୨ଟି ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଯିବ ପାଠ । ଏଣିକି ଓଡିଆ ଓ ଆଞ୍ଚଳିକ ଭାଷାରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ ଏନେଇ ସିବିଏସଇ ଜାରି କରିଛି ସର୍କୁଲାର । ଛାତ୍ରଛାତ୍ରୀଙ୍କ ଭିତରେ ଭାଷାରେ ବିବିଧତା, ସଂସ୍କୃତିକୁ ବୁଝିବା ଏବଂ ଶିକ୍ଷଣୀୟ ସଫଳତାକୁ ବଢାଇବା ପାଇଁ ବହୁଭାଷୀ ଶିକ୍ଷାକୁ ଗରୁତ୍ୱ ଦିଆଯାଇଛି । ପୂର୍ବରୁ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ପାଠ ପଢାଯାଉଥିଲା ।

ସିବିଏସଇ ପକ୍ଷରୁ ଆସିଥିବା ସର୍କୁଲାର ଅନୁଯାୟୀ ବାଲବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଭାରତୀୟ ଭାଷାର ବିକଳ୍ପ ଉପଲବ୍ଧ କରାଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବ । ଆବଶ୍ୟକ ପଡିଲେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଲାଗୁ କରାଯିବ । ତେବେ ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବନାହିଁ । ଯେଉଁ ଛାତ୍ରଛାତ୍ରୀମାନେ ଚାହିଁବେ ଆଞ୍ଚଳିକ ଭାଷାରେ ପଢିପାରିବେ ଏବଂ ସ୍କୁଲଗୁଡିକ ଧୀରେ ଧୀରେ ଏହି ବ୍ୟବସ୍ଥାକୁ ଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆସନ୍ତା ଶିକ୍ଷା ବର୍ଷରୁ ଯେପରି ଛାତ୍ରଛାତ୍ରୀମାନେ ଆଞ୍ଚଳିକ ଭାଷାରେ ପାଠ ପଢିପାରିବେ ସେଥିପାଇଁ ଏନ.ସି.ଇ.ଆର.ଟିକୁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ଭାଷାରେ ପାଠ ପଢ଼ାଗଲେ ପିଲାମାନେ ଭଲ ଭାବେ ବିଷୟ ବସ୍ତୁକୁ ବୁଝିପାରିବେ । ଭାଷା ସେମାନଙ୍କ ବୈଦ୍ଧିକ ଶିକ୍ଷାରେ ବାଧା ସୃଷ୍ଟି କରିପାରିବ ନାହିଁ । ଏହାକୁ ଉଭୟ ସ୍କୁଲ କର୍ତୃପକ୍ଷ ଓ ଅଭିଭାବକ ମହାସଂଘ ସ୍ୱାଗତ କରିଛନ୍ତି ।

ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ବୈଷୟିକ ଶିକ୍ଷା, ମେଡିକାଲ ପାଠ୍ୟକ୍ରମ, ଆଇନ, ବ୍ୟବସାୟିକ ତଥା କୌଶଳ ଶିକ୍ଷା ଆଦିର ପାଠ୍ୟପୁସ୍ତକ ଇଂରାଜୀ ଓ ହିନ୍ଦୀ ଭାଷା ସହ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରାଯାଉଛି । ଆଗାମୀ ଦିନରେ ଏହିସବୁ ପାଠ୍ୟକ୍ରମରେ ଭାରତୀୟ ଭାଷାରେ ପରୀକ୍ଷା କରିବାକୁ ନିଷ୍ପତି ନିଆଯାଇଛି ।

Comments are closed, but trackbacks and pingbacks are open.