ବହୁତଳ ଆପାର୍ଟମେଣ୍ଟ ରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ୪୩ ଗୁରୁତର

57

ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଏକ ବହୁତଳ ଆପାର୍ଟମେଣ୍ଟ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହେବ ସହିତ ୪୩ ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ତୃତୀୟ ମହଲାର ତଲାସି ବାକି ରହିଛି। ମୁଖ୍ୟ ଫାୟର ଅଫିସର ଅତୁଲ ଗର୍ଗ କହିଛନ୍ତି, କୋଠାରେ ଏବେ ମଧ୍ୟ ୩୦ରୁ ୪୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ସଂପ୍ରତି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅଧିକାରୀ କହିଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣା ପଡିନାହିଁ। ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିଛନ୍ତି। ସେହିଭଳି ୪୩ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା କୁହାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଫିସରେ ନିଆଁ ଲାଗିଥିବା ଘଟଣା ବିଷୟରେ ମୁଣ୍ଡକା ପୋଲିସ ଷ୍ଟେସନକୁ ଖବର ଆସିଥିଲା। ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପୋଲିସ ଅଧିକାରୀ ଏବଂ କର୍ମଚାରୀ କୋଠାର କବାଟ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ନିଆଁ ଲିଭା କାର୍ଯ୍ୟରେ ମୋଟ୍ ୯ ଦମକଳ ବାହିନୀ ଲାଗିଛନ୍ତି। ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରୁଛି।

ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ଏହି କୋଠା ତିନି ମହଲାର। ସାଧାରଣତଃ ଏହି କୋଠାରେ କମ୍ପାନୀଗୁଡିକ ପାଇଁ ରୁମ ଉପଲବ୍ଧ କରାଯାଏ। କୋଠାର ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ, ଦେଖୁ ଦେଖୁ ନିଆଁ ଅନ୍ୟ କୋଠାକୁ ବ୍ୟାପି ଯାଇଥିଲା। ପୋଲିସର କମ୍ପାନୀର ମାଲିକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

ଦିଲ୍ଲୀ ଅଗ୍ନିଶମ ବିଭାଗର ଉପ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁନିଲ ଚୌଧୁରୀ କହିଛନ୍ତି, କିଛି ଲୋକ ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପଡିଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ କର୍ମଚାରୀ ପ୍ରାୟ ୩୦୦ରୁ ୩୫୦ ଜଣଙ୍କୁ ବାହାର କରିଛନ୍ତି। ପ୍ରବଳ ଧୂଆଁ କାରଣରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

Comments are closed, but trackbacks and pingbacks are open.