ବିଡିଓଙ୍କ ଚାମ୍ବରରେ ଭିଡିଓ ସୁଟିଂକୁ ନେଇ ଉତ୍ତେଜନା: ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇନେଲା ପୋଲିସ

20

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ଗୁରୁବାର ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ବିଡିଓଙ୍କ ଚାମ୍ବରରେ ଭିଡିଓ ରେକର୍ଡିଂ କରିବାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ପରେ ପୋଲିସ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଏବଂ ତାଙ୍କ ଭାଇଙ୍କୁ ଥାନାକୁ ଉଠାଇ ନେଇଛି। ପରବର୍ତ୍ତୀ ସମୟରେ ସରପଞ୍ଚଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟାହ୍ନରେ ସରପଞ୍ଚ ଚାମେଲି ଓଝା ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରିଥିଲେ। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ କାର୍ଯ୍ୟାଳୟରେ ବିରକ୍ତିକର ପରିବେଶ ସୃଷ୍ଟି କରୁଥିବା ନେଇ ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ଖବର ପାଇ ମହାକାଳପଡ଼ା ଥାନା ଅଧିକାରୀ ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଭିଡିଓ ରେକର୍ଡିଂ କରିବା ନିଜର ଅଧିକାର ବୋଲି କହି ସରପଞ୍ଚ ପୋଲିସ ସହ ଯୁକ୍ତିତର୍କ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ସରପଞ୍ଚ ଚାମେଲି ଓଝା ଏବଂ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଥାନାକୁ ଉଠାଇ ନେଇଥିଲା। ବିଡିଓଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ସଦ୍ୟତମ ତଦନ୍ତ ଚଳାଇଛି।

Comments are closed, but trackbacks and pingbacks are open.