ଆସନ୍ତା ୨ ଦିନ ମଧ୍ୟରେ ବଢିବ ତାତି : ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

18

ଚଳିତ ସପ୍ତାହରେ ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ବଢୁଛି I ଆସନ୍ତା ଦୁଇ ଦିନରେ ରାଜ୍ୟରେ ତାପମାତ୍ରା ଆହୁରି ବଢିବ ବୋଲି ୬ ଜିଲ୍ଲାକୁ ସତର୍କ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ବଢି ଏହା ୪୦ ଡିଗ୍ରି ଛୁଇଁବ ବୋଲି ଆକଳନ କରାଯାଇଛି । ପାଗ ଶୁଖିଲା ରହିବା ସହ ଆସନ୍ତା ୧୬ ତାରିଖରେ ରାଜ୍ୟର ବଲାଙ୍ଗୀର, ସୋନପୁର ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂର ସତର୍କ ଘଣ୍ଟି ବଜାଇଛି ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୭ଡିଗ୍ରି ଉପରେ ରହୁଥିବା‌ ବେଳେ ଏହା ଆଉ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ର ସମ୍ଭାବନା ରହିଛି I ଏହି ସମୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଆକଳନ କରାଯାଉଛି ଯେ ଉପକୂଳ ଜିଲ୍ଲାରେ ଆସନ୍ତା ୪ ଦିନରେ ସର୍ବାଧିକ ତାପମାତ୍ରା ପ୍ରାୟ ୪ଡିଗ୍ରି ବଢ଼ିବ। ଆସନ୍ତା ୧୬ ତାରିଖରେ ଭୁବନେଶ୍ବରରେ ପାରଦ ୪୦ ଡିଗ୍ରି ଛୁଇଁପାରେ। ସେହି ଅନୁସାରେ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ଗରମ ହେବ। ରାଜ୍ୟକୁ ଉତ୍ତର-ପଶ୍ଚିମ ଭାରତ ଓ ସଂଲଗ୍ନ ପାକିସ୍ତାନ ଆଡ଼ୁ ପବନ ବୋହୁଛି। ଆସନ୍ତାକାଲିଠାରୁ ସେଠି ତାପମାତ୍ରା ବିଶେଷ ଭାବେ ବଢ଼ିବ। ଏଣୁ ସେଠୁ ଗରମ ଓ ଶୁଷ୍କ ପବନ କେନ୍ଦ୍ରୀୟ ଭାରତ ଦେଇ ରାଜ୍ୟକୁ ଆସିବାରୁ ରାଜ୍ୟରେ ଗରମ ବଢ଼ିବ ‌‌‌ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଏହା ଫଳରେ ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମାଲକାନଗିରି ଓ ଝାରସୁଗୁଡ଼ାରେ ୧୫ ତାରିଖରେ ପାରଦ ୪୦ ଡିଗ୍ରି ଛୁଇଁବ। ତା’ପରେ କ୍ରମଶଃ ତାପମାତ୍ରା ବଢ଼ିବା ଚାଲୁ ରହିବ। ଆସନ୍ତା ୨୧ ତାରିଖରେ ହୁଏ ତ କିଛି ସ୍ଥାନରେ ୪୨ରୁ ୪୩ଡିଗ୍ରି ତାପମାତ୍ରା ବଢ଼ିପାରେ। ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ, ନୟାଗଡ଼ରେ ୧୯ତାରିଖରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ। ପୂର୍ବରୁ ମାର୍ଚ୍ଚ ମାସରେ ତାପମାତ୍ରା ଏତେ ଅଧିକ ବଢିବାର ଦେଖାଯାଇନଥିବା ବେଳେ ଚଳିତ ମାସ ୨୫ତାରିଖ ସୁଦ୍ଧା ତାପମାତ୍ରା କମିବା ସଙ୍କେତ ମିଳୁ ନାହିଁ ।

Comments are closed, but trackbacks and pingbacks are open.