ଟେଲିକମ୍ ଗ୍ରାହକଙ୍କ ନେଟୱର୍କ କ୍ୱାଲିଟି ଫିଡବ୍ୟାକ୍ ପାଇଁ ଟ୍ରାଇ ଲଞ୍ଚ୍ କଲା ‘MyCall’ ଆପ୍

4

ନୂଆଦିଲ୍ଲୀ: ଟ୍ରାଇ ପକ୍ଷରୁ ‘MyCall’ ଆପ୍‌ର ଏକ ନୂଆ ତଥା ଉନ୍ନତ ସଂସ୍କରଣ ଲଞ୍ଚ୍ କରାଯାଇଛି। ଏହି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଗ୍ରାହକମାନେ ନିଜର ଭଏସ୍ କଲିଂ ଅଭିଜ୍ଞତା ବା ନେଟୱର୍କ ଗୁଣବତ୍ତା ସମ୍ପର୍କରେ ରିଅଲ୍-ଟାଇମ୍ ଫିଡବ୍ୟାକ୍ ବା ମତାମତ ଦେଇପାରିବେ। ବର୍ତ୍ତମାନ ଦେଶରେ ଏକ ବିଲିୟନରୁ ଅଧିକ ଟେଲିକମ୍ ଉପଭୋକ୍ତା ଅଛନ୍ତି। ନେଟୱର୍କ କିପରି ରହିଛି, ତାହା ଭଏସ୍ କଲିଂ ମାଧ୍ୟମରେ ହିଁ ପ୍ରଥମେ ଜଣାପଡ଼ିଥାଏ। ତେଣୁ କେବଳ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନେଟୱର୍କ କ୍ୱାଲିଟି ଯାଞ୍ଚ କରିବା ପରିବର୍ତ୍ତେ, ଗ୍ରାହକଙ୍କ ପ୍ରକୃତ ଅଭିଜ୍ଞତା ଉପରେ ଏବେ ଟ୍ରାଇ ଅଧିକ ଗୁରୁତ୍ୱ ଦେଇଛି। ଏହି ଆପ୍ ମାଧ୍ୟମରେ ଗ୍ରାହକଙ୍କ ଦ୍ୱାରା ଦିଆଯାଇଥିବା ଫିଡବ୍ୟାକ୍‌କୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ (ଟିଏସପି) ଏବଂ ଟ୍ରାଇ ନିକଟକୁ ପଠାଯିବ। ଫଳରେ କେଉଁ ଅଞ୍ଚଳରେ ନେଟୱର୍କ ସମସ୍ୟା ରହିଛି, ତାହା ଚିହ୍ନଟ କରି ସମ୍ପୃକ୍ତ କମ୍ପାନୀଗୁଡ଼ିକ ତୁରନ୍ତ ପଦକ୍ଷେପ ନେଇପାରିବେ। ଏହାଦ୍ୱାରା ସାମଗ୍ରିକ ଟେଲିକମ୍ ସେବାର ମାନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।ଆପ୍‌ର ଶୁଭାରମ୍ଭ କରି ଟ୍ରାଇ ଅଧ୍ୟକ୍ଷ ଅନିଲ କୁମାର ଲାହୋଟି କହିଛନ୍ତି ଯେ, “ପ୍ରତ୍ୟେକ ଟେଲିକମ୍ ଗ୍ରାହକ ନେଟୱର୍କ କ୍ୱାଲିଟିର ସିଧାସଳଖ ଅନୁଭବ କରିଥାନ୍ତି। ଏହି ନୂଆ ‘ମାଇ କଲ୍’ ଆପ୍ ଜରିଆରେ ଗ୍ରାହକମାନେ ସେମାନଙ୍କ କଲ୍ ଅଭିଜ୍ଞତା ଉପରେ ତୁରନ୍ତ ମତାମତ ଦେଇପାରିବେ। ଏହି ମତାମତଗୁଡ଼ିକ ଟେଲିକମ୍ କମ୍ପାନୀଗୁଡ଼ିକୁ ନିଜର ନେଟୱର୍କ ତ୍ରୁଟି ସୁଧାରିବାରେ ସାହାଯ୍ୟ କରିବ। ଏହାଦ୍ୱାରା ଗ୍ରାହକଙ୍କ ସନ୍ତୋଷ ବୃଦ୍ଧି ପାଇବା ସହ ଏକ ଉନ୍ନତ ମୋବାଇଲ୍ ଯୋଗାଯୋଗ ବ୍ୟବସ୍ଥା ଗଠନ ହୋଇପାରିବ।” ଏହା ସହିତ ସମସ୍ତ ମୋବାଇଲ୍ ବ୍ୟବହାରକାରୀ ଏହି ଆପ୍ ଡାଉନଲୋଡ୍ କରି ନିୟମିତ ନିଜର ଫିଡବ୍ୟାକ୍ ଦେବାକୁ ସେ ନିବେଦନ କରିଛନ୍ତି।

Comments are closed, but trackbacks and pingbacks are open.