ତିସ୍ତାଙ୍କୁ ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ

32

ନୂଆଦିଲ୍ଲୀ : ଗୁଜରାଟ ଦଙ୍ଗା ମାମଲାରେ ଗିରଫ ହୋଇଥିବା ସାମାଜିକ କର୍ମକର୍ତ୍ତା ତିସ୍ତା ସେତଲଭାଦଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ ମିଳିଛି । ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ପୀଠ ତିସ୍ତାଙ୍କୁ ଜାମିନ ପ୍ରଦାନ କରିଥିବାବେଳେ ପୁଲିସ ନିକଟରେ ପାସପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ତିସ୍ତାଙ୍କ ଜାମିନ ଆବେଦନ ଗୁଜରାଟ ହାଇକୋର୍ଟରେ ବିଚାରାଧୀନ ରହିଛି । ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ତିସ୍ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି । ସୂଚନାଯୋଗ୍ୟ ଚଳିତବର୍ଷ ଜୁନ୍‌ରେ ୨୦୦୨ ଗୋଧ୍ରା ଦଙ୍ଗା ପ୍ରସଙ୍ଗରେ ତିସ୍ତାଙ୍କ ଭୂମିକାକୁ ସୁପ୍ରିମକୋର୍ଟ ସମାଲୋଚନା କରିଥିଲେ । ଏହାର ଦୁଇଦିନ ପରେ ଅର୍ଥାତ ଜୁନ୍ ୨୫ରେ ଗୁଜରାଟ ଏଟିଏସ୍ ମୁମ୍ବାଇରୁ ତିସ୍ତାଙ୍କୁ ଗିରଫ କରିଥିଲା । ଅଗଷ୍ଟ ୩ରେ ଜାମିନ ପାଇଁ ତିସ୍ତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ୬ ସପ୍ତାହ ପରେ ଜବାବ ଦାଖଲ କରିବାକୁ ସେତେବେଳେ ତିସ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ତିସ୍ତା ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ଲଳିତଙ୍କ ପୀଠରେ ଏହାର ଶୁଣାଣି କରାଯାଇଥିଲା । ସୁପ୍ରିମକୋର୍ଟ ପୀଠ ଗୁଜରାଟ ହାଇକୋର୍ଟଙ୍କ ୬ ସପ୍ତାହ ନୋଟିସକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ତିସ୍ତାଙ୍କୁ ଜାମିନ ନ ମିଳିବାର କୌଣସି କାରଣ ନାହିଁ ବୋଲି ମତବ୍ୟକ୍ତ କରିଥିଲେ ।

Comments are closed, but trackbacks and pingbacks are open.