ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଡିଏମକେ ସଭାପତି ଏମ.କେ. ଷ୍ଟାଲିନ। ମଙ୍ଗଳବାର ସେ ନିଜର ଇସ୍ତଫା ପତ୍ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟରେ ଏକ ନୂତନ ସରକାର ଗଠନ ପାଇଁ ପଥ ପରିଷ୍କାର କରିଛି। ଗତ ଏପ୍ରିଲ ୨୩ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ ‘ତାମିଲଗା ଭେଟ୍ରି କାଝାଗମ’ (ଟିଭିକେ) ଆଶାତୀତ ସଫଳତା ହାସଲ କରି ଶାସକ ଡିଏମକେକୁ କ୍ଷମତାରୁ ବାହାର କରିଛି। ଟିଭିକେ ପ୍ରାୟ ୩୨ ପ୍ରତିଶତରୁ ଅଧିକ ଭୋଟ ପାଇ ଶୀର୍ଷରେ ରହିଥିବା ବେଳେ ଡିଏମକେକୁ ୨୪.୧୯% ଏବଂ ଏଆଇଏଡିଏମକେକୁ ମାତ୍ର ୨୧.୨୨% ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହି ନିର୍ବାଚନର ସବୁଠାରୁ ବଡ଼ ବିପର୍ଯ୍ୟୟ ଖୋଦ୍ ଷ୍ଟାଲିନଙ୍କ ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ନିଜର ପାରମ୍ପରିକ ଆସନ ‘କୋଲାଥୁର’ରେ ଷ୍ଟାଲିନ ଟିଭିକେ ପ୍ରାର୍ଥୀ ଭି.ଏସ. ବାବୁଙ୍କଠାରୁ ୮,୭୯୫ ଭୋଟରେ ପରାଜିତ ହୋଇଛନ୍ତି। ପରାଜୟ ପରେ ଷ୍ଟାଲିନ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଜନାଦେଶକୁ ସମ୍ମାନ ଜଣାଇଛନ୍ତି। ତାମିଲନାଡୁ ରାଜନୀତିରେ ଏହି ପରିବର୍ତ୍ତନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Comments are closed, but trackbacks and pingbacks are open.